ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଗୁଣ୍ଡାଗର୍ଦ୍ଦି କରୁଛନ୍ତି ଶାସକ ଦଳ କର୍ମୀ । ଆଇନ୍ କାନୁନ କିଛି ମାନୁ ନାହାନ୍ତି । ଆମେ ଏଥିପାଇଁ ଏମିତି କହୁଛୁ କାରଣ ବିଗତ ଦିନର ରିପୋର୍ଟ ହିଁ ଏହା ସ୍ପଷ୍ଟ କରୁଛି । ସେ ବାଲେଶ୍ୱର ଘଟଣା ହେଉ ଅବା ଅବା କଳାହାଣ୍ଡି କି’ ପୁରୀ । ସବୁଠି ନଜରକୁ ଆସିଛି ଶାସକଦଳର କର୍ମୀଙ୍କ ଉତ୍ପାତ । ସବୁଠୁ ବଡ଼ କଥା ହେଉଛି ଏଭଳି ଘଟଣାରୁ ବାଦ ପଡୁନାହାନ୍ତି ଖୋଦ୍ ବିଧାୟକ । ଲୋକଙ୍କୁ ସେବା ତ’ ଦୂରରେ ଥାଉ ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ହତ୍ୟା ଧମକ ଦେବାକୁ ପଛାଉନାହାନ୍ତି ଏମାନେ । ଗତ ଦୁଇଦିନ ତଳେ ଅସ୍ତରଂଗରେ ହୋଇଥିବା ଜି ମିଡିଆ ପ୍ରତିନିଧି ଚନ୍ଦନ ପାଇକରାୟଙ୍କୁ ଆକ୍ରମଣ ଘଟଣା ହିଁ ଏହାର ଏକ ଛୋଟିଆ ଉଦାହରଣ ।
ସିଧା କହିବାକୁ ଗଲେ ସ୍ୱାର୍ଥରେ ବାଧା ଉପୁଜିଲେ ଏହି ଶାସକଦଳର କର୍ମୀମାନେ କେତେ ଯେ, ହିଂସ୍ର ହୋଇ ପାରନ୍ତି ଏହାଠୁ ବଡ଼ ପ୍ରମାଣ ଆଉ କ’ଣ ବା ହୋଇପାରେ । ଚନ୍ଦନଙ୍କ ଭୁଲ ଥିଲା ଏତିକି ସେ ପ୍ରଥମେ ଲୋକଙ୍କ ମତକୁ ଅଗ୍ରାଧିକାର ଦେଇଥିଲେ । ଯାହା ବିଧାୟକଙ୍କ ପାଖ ଲୋକଙ୍କୁ ଭାରି ବାଧିଥିଲା । ନିଜର ଭାଣ୍ଡାଫୋଡ଼ ହେବା ଭୟରେ ସେମାନେ ଅଚାନକ୍ ଆକ୍ରମଣ କଲେ । ଆକ୍ରମଣ ଘଟଣା ହିଁ ପ୍ରମାଣ କରୁଛି ବିଧାୟକ ପଦ ପାଇଁ ପୁଣି ଅଣ୍ଟା ଭିଡୁଥିବା ଏହି ଭଦ୍ର ବ୍ୟକ୍ତି ବାସ୍ତବରେ ଲୋକଙ୍କ ସହଯୋଗ ନେଇ ନୁହେଁ ବରଂ ଡରାଇ ଧମକାଇ ନିଜ ରାଜ ଚଳାଇବା ଲାଗି ଅଣ୍ଟା ଭିଡିଛନ୍ତି ।
ଏବେ ଆମର ପ୍ରଶ୍ନ ଏ କେମିତି କା ଜନପ୍ରତିନିଧି? ଯିଏ ଗଣମାଧ୍ୟମକୁ ସମ୍ମାନ ଦେଇ ଶିଖିନି ସେ ଲୋକଙ୍କ ସେବା କ’ଣ କରିବ? କାହିଁକି ଭରା ପବ୍ଲିକରେ ନିଜ କର୍ମୀଙ୍କୁ ଲଗାଇ ଏମିତି ଗୁଣ୍ଡାଗିରି ଦେଖାଇଲେ? ପ୍ରକୃତରେ କେବେ ଲୋକଙ୍କ ସେବା କରିଥିଲେ ନା’ ପଦ ପାଇବା ପରେ ଖାଲି ପଟି ମାରି ଖାଇଛନ୍ତି? ଜନ ମତ ନେଲେ ତାହା ସାମ୍ନାକୁ ଆସିବା ଭୟରେ ଏଭଳି ଆକ୍ରମଣ କରାଯାଇନି ତ? ଏମିତି ତମାମ ପ୍ରଶ୍ନ ଏବେ ସାଧାରଣରେ । ସେପଟେ ଘଟଣାକୁ ୭୨ଘଣ୍ଟା ବିତିଗଲାଣି । ହେଲେ ଦୁଃଖର କଥା ପୁଲିସ କେବଳ ଜଣଙ୍କୁ ବାନ୍ଧି ଚୁପ ବସିଛି । ଯାହା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇଛି । ଶୁଣିବାକୁ ମିଳୁଛି ଅଭିଯୁକ୍ତଙ୍କୁ ଗିରଫ ନକରିବା ଲାଗି ଉପର ମୁଣ୍ଡରୁ ଚାପ ପଡୁଛି । ଯଦି ଏହି କଥା ସତ ହୋଇଥାଏ ତେବେ ପୁଲିସ ଯେ ନେତାଙ୍କ ପାଖରେ ବନ୍ଧା ପଡିଛି ସେଥିରେ କୌଣସି ସନ୍ଦେହ ନାହିଁ ।
କାରଣ ପୂର୍ବରୁ ବି ଏମିତି ଅନେକ ଘଟଣାର ନଜିର ରହିଛି ଯେଉଁଠି ପୁଲିସ ଚାହିଁକି ମଧ୍ୟ ଚୁପ ରହିବାକୁ ବାଧ୍ୟ ହୋଇଛି । ଠିକ୍ ଯେମିତି ସୋର ବିଧାୟକ ପର୍ଶୁରାମ ଧଡ୍ଡାଙ୍କ କଥା । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଗଲା । ଖବର ବିଜୁଳି ବେଗରେ ପ୍ରଚାର ପରେ ବିଧାୟକଙ୍କ ଗିରଫ ଦାବୀ ଜୋର ଧରିଲା । ଅନେକ ସଂଗଠନ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଥିଲେ ମଧ୍ୟ ବିଧାୟକଙ୍କ ଉପରେ ଏହାର କିଛି ପ୍ରଭାବ ପଡିଲାନି । ସେହିପରି କଳାହାଣ୍ଡିରେ ଧାନମଣ୍ଡିରେ ଚଞ୍ଚକତା ବିଷୟରେ ଖବର ସଂଗ୍ରହ ଲାଗି ଯାଇଥିବା ବେଳେ ଆକ୍ରମଣର ଶିକାର ହେଲେ ଗଣମାଧ୍ୟମ ପ୍ରତିନିଧି । ସେଠି ବି ସାମ୍ନାକୁ ଆସିଲା ଶାସକଦଳର ଭୁମିକା । ଲଗାତାର ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହେଉଥିବା ଆକ୍ରମଣ ଓ ଏହା ପଛରେ ଶାସକଦଳର ଭୁମିକା ଏବେ ଅନେକଙ୍କୁ ଆଚମ୍ବିତ କରିଛି ।
ଅଭିଯୋଗ ହୋଇଛି ଢ଼େରଦିନ ପଦପଦବୀରେ ରହିବା ଯୋଗୁ ଏମାନଙ୍କ ଚେର ଲାଗି ଯାଇଛି । ଫଳସ୍ୱରୂପ ସେମାନେ ଆଉ ଇ୍ଦ୍ରଚନ୍ଦ୍ର ମାନୁନାହାନ୍ତି । ତେବେ ଏହାପଛରେ ବି ଆଉ ଏକ ପ୍ରମୁଖ କାରଣ ଲୁଚି ରହିଛି । ପୂର୍ବରୁ ନେତାମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ଗଣମାଧ୍ୟମ ଭୁମିକା ବେଶ ରହୁଥିଲା । ହେଲେ ଏବେ ଗଣମାଧ୍ୟମର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଏହି ନେତାମାନେ । କହିବାକୁ ଗଲେ ଅଧାରୁ ଅଧିକ ଗଣମାଧ୍ୟମ ସଂସ୍ଥା ଏବେ ନେତାମନ୍ତ୍ରୀଙ୍କ ଇସାରାରେ ଚାଲୁଛି । ତେଣୁ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ବଢ଼ୁଥିବା ବୁଦ୍ଧିଜୀବୀମାନେ ମତ ରଖିଛନ୍ତି । ବେଳ ଥାଉ ଥାଉ ଏହାର କଡ଼ା ଜବାବ ନଦିଆଗଲେ ଆଗକୁ ଯେ, ଚତୁର୍ଥ ସ୍ତମ୍ଭ ବୋଲାଉଥିବା ଗଣମାଧ୍ୟମ କେତେବେଳେ ଯେ ଭୁଷୁଡି ପଡିବ ତାହା କିଏ କହିବ ।