ନୟାଗଡ (ଏଟିଆର ବ୍ୟୁରୋ); ବିଜେଡି ଚଳିତ ନିର୍ବାଚନ ପାଇଁ ଆଜିଠାରୁ ପ୍ରଚାର ଅଭିଯାନ ଆରମ୍ଭ କରିଛି । ପ୍ରଥମ ନିର୍ବାଚନୀ ପ୍ରଚାର ନୟାଗଡ ଜିଲ୍ଲାରୁ ଆରମ୍ଭ କରିଛି । ତେବେ ଆୟୋଜିତ ହୋଇଥିବା ବିଶାଳ ସମାବେଶରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ରାଜ୍ୟକୁ ଅବହେଳା କରୁଥିବା କହିଛନ୍ତି ନବୀନ । ବିଜେଡି ସୁପ୍ରିମୋ କହିଛନ୍ତି କି, ସ୍ୱତନ୍ତ୍ର ରାଜ୍ୟପାହ୍ୟା ପାଇଁ ଆମେ ଲଢେଇ ଜାରି ରଖିଛୁ। ବିଜେପି ଇସ୍ତାହାର କମିଟିରେ ସ୍ୱତନ୍ତ୍ର ପାହ୍ୟା ପାଇଁ ପ୍ରତିଶ୍ରୁତି ଦେଇଥିଲା।
କେନ୍ଦ୍ରରେ ସରକାର ଗଢିବା ପରେ ସ୍ୱତନ୍ତ୍ର ପାହ୍ୟା କଥା ଭୁଲିଗଲେ। ଏହା କେନ୍ଦ୍ରୀୟ ଅବହେଳା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ନବୀନ। ନବୀନ କହିଛନ୍ତି, ଓଡିଶାର ହକ୍ ପାଇଁ ରାଜ୍ୟ ବିଜେପି କେବେ ହେଲେ ଲଢିନାହିଁ କିମ୍ବା ଆଗକୁ ଲଢିପାରିବ ନାହିଁ। କାହିଁକି ନା ରାଜ୍ୟ ବିଜେପିର ରିମୋଟ୍ ରହିଛି କେନ୍ଦ୍ର ପାଖରେ। କିନ୍ତୁ ବିଜେଡିର ହାଇକମାଣ୍ଡ ହେଉଛନ୍ତି ଓଡିଶାବାସୀ।
ସେହିଭଳି ଓଡ଼ିଶାରୁ ରେଳବାଇ ୨୦ ହଜାର କୋଟି ନେଉଥିବା ବେଳେ ମାତ୍ର ବାର୍ଷିକ ୧ ହଜାର କୋଟି ଟଙ୍କା ଦେଉଛି, କୋଇଲା ବାବଦରେ କେନ୍ଦ୍ର ହଜର ହଜାର କୋଟି ଟଙ୍କା ନେଉଥିବା ବେଳେ ଓଡ଼ିଶାକୁ ପ୍ରଦୂଷଣ ଧୂଳି ପାଉଛି । ମହାନଦୀ ଓ ପୋଲାଭରମ୍ ପାଇଁ ଓଡ଼ିଶା କ୍ଷତିଗ୍ରସ୍ତ ହେଉଥିବା ବେଳେ କେନ୍ଦ୍ର ଛତିଶଗଡ ଓ ଆନ୍ଧ୍ରପ୍ରଦେଶକୁ ସମର୍ଥନ କରିବା କେନ୍ଦ୍ରୀୟ ଅବହେଳା ନୁହେଁକି ବୋଲି ନବୀନ ପ୍ରଶ୍ନ କରିଥିଲେ । ନୟାଗଡରେ ଆୟୋଜିତ ହୋଇଥିବା ବିଜେଡିର ନିର୍ବାଚନୀ ରାଲିରେ ବିଜେଡିର ବରିଷ୍ଠ ନେତା ପିନାକୀ ମିଶ୍ର, ଅରୁଣ ସାହୁ, ସୌମ୍ୟରଞ୍ଜନ ପଟ୍ଟନାୟକ, ରବିନାରାୟଣ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
୮