ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଡ୍ରେସ ବଦଳାଇଲା ଭଳି ନେତାମାନେ ଦଳ ବଦଳାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ଆଜି ଏଭଳି ଏକ ରୋଚକ ଦଳ ବଦଳ ହୋଇଛି ଯାହାକି ଏକ ନୂଆ କଥା ଭଳି ମନେହେବ । କାରଣ ଗୋଟିଏ ଦଳରେ ଟିକେଟ ପାଇଥିଲେ ସୁଦ୍ଧା ଅନ୍ୟ ଦଳରେ ଯୋଗ ଦେଇଛନ୍ତି । ଆନନ୍ଦପୁରରେ ବିଜେପିରୁ ଟିକେଟ ପାଇଥିବା ବରିଷ୍ଟ ନେତା ଭାଗୀରଥୀ ସେଠୀ ବିଜେଡିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ସେ ବିଧିବଦ୍ଧ ଭାବରେ ଦଳରେ ଯୋଗ ଦେଇଛନ୍ତି । ନବୀନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି । ତେବେ ଶେଷ ସମୟରେ ବିଜେପିକୁ ଛାଡିଥିବାରୁ ଚିନ୍ତାରେ ବିଜେପି ।
ସୂଚାଯୋଗ୍ୟ ଯେ, ୨୦୦୯ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ୍ ପାଇ ନିର୍ବାଚନ ଲଢି ଜିତିଥିଲେ ଭାଗୀରଥି ସେଠୀ । ତେବେ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କୁ ବାଦ୍ ଦେଇ ବିଜେଡି ମାୟାଧର ଜେନାଙ୍କୁ ଟିକେଟ୍ ଦେଇଥିଲା । ଫଳରେ ସେ ଅସନ୍ତୁଷ୍ଟ ଥିଲେ । ତେଣୁ ଭାଗୀରଥି ୨୦୧୪ରେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ । ମାତ୍ର ଚଳିତ ନିର୍ବାଚନରେ ଆନନ୍ଦପୁରରୁ ନିର୍ବାଚନ ଲଢିବା ପାଇଁ ତାଙ୍କୁ ବିଜେପି ଦଳରୁ ଟିକେଟ୍ ମିଳିଥିଲେ ମଧ୍ୟ ସେ ବିଜେଡିକୁ ପୁର୍ନବାର ଫେରିଛନ୍ତି । ଆଜି ବିଧିବଦ୍ଧ ଭାବେ ସେ ନବୀନ ନିବାସରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ତେବେ ଆନନ୍ଦପୁରରି ବିଜେଡି ଭାଗିରଥୀଙ୍କୁ ଟିକେଟ୍ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।