ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶୁକ୍ରବାର ବିଜେଡି ବାକି ପ୍ରାର୍ଥୀ ଘୋଷଣା କରିଛି । ପାରାଦୀପ ନିର୍ବାଚନ ମଣ୍ଡଳୀରେ ବିଜେଡି ଦାମ ରାଉତଙ୍କ ପୁଅ ସମ୍ବିତ ରାଉତଙ୍କୁ ପ୍ରାର୍ଥୀ କରିଛି । ଯାହାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ପୂର୍ବରୁ ଏହି ଆସନରୁ ଲଗାତାର ଜିତି ଆସୁଥିଲେ ଦାମ । ଏଣୁ ଏଠାରେ ତାଙ୍କର କିଛି ନିଜସ୍ୱ ଭୋଟବ୍ୟାଙ୍କ ରହିଛି । କିନ୍ତୁ ଏବେ ସେ ବିଜେପିରେ ଥିବାରୁ ଏହି ଭୋଟ କାହା ପାଇଁ କରାଇବେ ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ଦଳର ହେବେ ନାଁ ପୁଅର ହେବେ ଦାମ? ଏହି କଥାକୁ ନେଇ ସବୁଠି ଆରମ୍ଭ ହୋଇଛି ନୂଆ କଳ୍ପନା ଜଳ୍ପନା ।
ରାଜ୍ୟରେ ବିଜେଡି ସରକାରଙ୍କୁ ହଟାଇବା ଲକ୍ଷ୍ୟରେ ଚଳିତ ନିର୍ବାଚନରେ ରଣହୁଙ୍କାର ଦେଇଛନ୍ତି ରାଜ୍ୟ ରାଜନୀତିର ବରିଷ୍ଟ ନେତା ଦାମୋଦର ରାଉତ । କିନ୍ତୁ ପୁଅ ବିଜେଡି ପକ୍ଷରୁ ନିଜ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ୁଥିବାରୁ ସେ ଦୋଛକିରେ ରହିଛନ୍ତି । କିନ୍ତୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଦାମ କହିଥିଲେ କି ସେ ଯେଉଁ ଦଳରେ ଅଛନ୍ତି ସେହି ଦଳ ପାଇଁ ପ୍ରଚାର କରିବେ । ମୁଁ ଏତେ ଅବିବେକି ନୁହେଁ କି ଗୋଟିଏ ଦଳରେ ରହି ଆଉ ଗୋଟେ ଦଳ ପାଇଁ ପ୍ରଚାର କରି ଦଳ ବିରୋଧୀ କାମ କରିବି । ତେବେ ଦାମ ଯଦି ବିଜେପି ପାଇଁ ପ୍ରଚାର କରିବେ ସମ୍ବିତଙ୍କ ପାଇଁ ଅଡୁଆ ହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଦୀର୍ଘବର୍ଷ ପାରାଦୀପରେ ଜିତିଥିବା ଦାମ ଏବେ ମଧ୍ୟ ପାରାଦୀପରେ ସକ୍ରୀୟ ଅଛନ୍ତି । କିନ୍ତୁ ଚଳିତ ନିର୍ବାଚନରେ ସେ ନିଜ ପୈତୃକ ନିର୍ବାଚନ ମଣ୍ଡଳୀ ବାଲିକୁଦା-ଏରସମାରୁ ନିର୍ବାଚନ ଲଢ଼ୁଛନ୍ତି ।