ସୁନ୍ଦରଗଡ (ଏଟିଆର ବ୍ୟୁରୋ); ଦଶାଦୋଷ କ୍ଷମା କରିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିବା ସ୍ୱାମୀ ସାମାନ୍ୟ ଝଗଡା ପାଇଁ ସ୍ତ୍ରୀକୁ ପିଟି ପିଟି ମାରିଦେଲା । କାଳେ ଲୋକ ଜାଣିଦେବେ ଏଣୁ ଶବକୁ ଅଖାରେ ବାନ୍ଧି ଜଙ୍ଗଲରେ ଗାତ ଖୋଳି ପୋତିଦେଲା ନୃଂଶସ ସ୍ୱାମୀ । ତେବେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ଟିକିଲିପରାରେ । ମୃତ ମହିଳା ହେଲେ ଶର୍ମିଳା ଟପ୍ପୋ । ତାଙ୍କୁ ମାରିଥିବା ଅଭିଯୁକ୍ତ ସ୍ୱାମୀ ହେଲେ କପିଳ ଟପ୍ପୋ । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଥିବା ବେଳେ କପିଳଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
ପୋଲିସ ରିପୋର୍ଟ ମୁତାବକ ଗତ ଶନିବାର କପିଳ ଏବଂ ଶର୍ମିଳାଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ତେବେ ଏଥିରେ ଉତକ୍ଷିପ୍ତ ହୋଇ କପିଳ ନିଜ ଧର୍ମପତ୍ନୀଙ୍କୁ ପିଟି ପିଟି ମାରି ଦେଇଥିଲା । କେହି ଦେଖିବା ପୂର୍ବରୁ ଶବକୁ ନେଇ ଘର ପଛପଟେ ଥିବା ଲାଟିନରେ ରଖି ଦେଇଥିଲା । ପରେ ରାତିରେ ଏକୁଟିଆ ସମୟରେ ଯାଇ ଶବୁ ପୋତି ଦେଇଥିଲା । କୌଣସି ବିଶେଷ ସୂତ୍ରରୁ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚଥିଲା । ଶବକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ କପିଳକୁ ଅଟକ ରଖି ପଚରା ଉଚରା କରୁଛି ।