ନବରଙ୍ଗପୁର ( ଏଟିଆର ବ୍ୟୁରୋ ): ଆଜି ଭୋଟ ମହାପର୍ବର ପ୍ରଥମ ଦିନ । ପ୍ରଥମ ଦିନରେ ନିଜନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ବୁଥ୍ରେ ଧାଡି ବାନ୍ଧି ଠିଆ ହୋଇଥିବା ବେଳେ ନବରଙ୍ଗପୁରରେ ଘର ନାହିଁତ ଭୋଟ ନାହିଁ, ଏମତି ଏକ କଥା ଶୁଣିବାକୁ ମିଳିଛି । ନବରଙ୍ଗପୁରର ପାପଡାହାଣ୍ଡି ବ୍ଲକର କଣ୍ଟା ଗ୍ରାମରେ ପଞ୍ଚାୟତ ଘର ନିର୍ମାଣ ଦାବି କରି ଗ୍ରାମବାସୀ ମାନେ ଭୋଟ ବର୍ଜନ କରିଛନ୍ତି ।
ସୂଚନା ଅନୁସାରେ ୧୨୩୮ ଭୋଟର ଥିବା ଏହି ଗ୍ରାମରେ ନୂଆ କରି ଗଠନ କରାଯାଇଥିବା ଗ୍ରାମ ପଞ୍ଚାୟତ ପାଇଁ ପଞ୍ଚାୟତ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ପ୍ରଶାସନ ନିକଟରେ ଦୀର୍ଘଦିନ ହେଲା ଦାବି କରି ଆସୁଛନ୍ତି । କିନ୍ତୁ ପାଖ ରନ୍ଧାଗୁଡା ଗ୍ରାମବାସୀ ଚାହୁଁଛନ୍ତି ତାଙ୍କ ଗ୍ରାମରେ ପଞ୍ଚାୟତ ଘର ନିର୍ମାଣ କରାଯାଉ ବୋଲି । ଯାହାକୁ ନେଇ ଦୁଇ ଗ୍ରାମ ମଧ୍ୟରେ ବିବାଦ ରହିଛି । କିନ୍ତୁ କଣ୍ଟଗାଁ ବାସୀଙ୍କ କହିବା କଥା ତାଙ୍କ ଗାଁ ନାମରେ ପଞ୍ଚାୟତର ନାଁ ଥିବାରୁ ତାଙ୍କ ଗାଁରେ ପଞ୍ଚାୟତ ଘର ନିର୍ମାଣ ହେବା ଉଚିତ ବୋଲି ଦାବି କରିଛନ୍ତି ।
ପ୍ରଶାସନ ତଥା ତହସିଲଦାର କିନ୍ତୁ ରନ୍ଧାଗୁଡା ଗ୍ରାମରେ ଘର ନିର୍ମାଣ ପାଇଁ ସ୍ଥାନ ନିରୁପଣ କରିଛନ୍ତି । ଯାହାକୁ ନେଇ କଣ୍ଟାଗାଁ ଲୋକେ ଅସନ୍ତୁଷ୍ଟ ଥିଲେ । ଯାହାର ସିଧା ପ୍ରତିଫଳନ ଆଜି ଭୋଟରେ ଦେଖାଯାଇଛି । କଣ୍ଟା ଗାଁ ସ୍କୁଲ ଘରେ ମତଦାନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲେ ସୁଦ୍ଧା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଭୋଟ କେନ୍ଦ୍ରର ଆଖ ପାଖରେ ବୁଲୁଛନ୍ତି କିନ୍ତୁ ଭୋଟ ଦେଉନାହାନ୍ତି ।