ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି ପିସିସିକୁ ଲାଗିଛି ବଡ ଝଟକା । ମତଦାନ ଆରମ୍ଭ ହୋଇଥିବା ବେଳେ ବାକି ଆସନରେ ହେବାକୁ ଥିବା ନିର୍ବାଚନ ପାଇଁ କଂଗ୍ରେସ ସ୍ଥିତି ସୁଧାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଦଳ ଛାଡିଛନ୍ତି ସୋନାଲି ସାହୁ । ସେ ଜଣେ ଜଣାଶୁଣା କଂଗ୍ରେସ ମୁଖପାତ୍ର ଥିଲେ । ଟିଭି ଚେହେରାଙ୍କ ଦଳରୁ ଇସ୍ତଫା ଦେବା କଂଗ୍ରେସ ପାଇଁ ଅଶୁଭ ବୋଲି ଚର୍ଚ୍ଚା ହେଉଛି । ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ଖୋର୍ଦ୍ଧା ଆସନରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ କିନ୍ତୁ ଦଳ ଟିକେଟ ନଦେଇଥିବାରୁ ଦଳ ଛାଡିଥିବା ଶୁଣିବାକୁ ମିଳୁଛି ।
ସୋନାଲି ଦଳ ଛାଡିବା ପରେ ଖୋର୍ଦ୍ଧାରେ କଂଗ୍ରେସର କ୍ରେଜ ଟିକେ କମିଯିବ ବୋଲି ଚର୍ଚ୍ଚା ହେଉଛି । ତେବେ ସୋନାଲି କେଉଁ ଦଳରେ ମିଶିବେ ଏବଂ କାହାକୁ ସର୍ପୋଟ କରିବେ ତାହା ସ୍ପଷ୍ଠ ହୋଇନାହିଁ । ଗତକାଲି କଂଗ୍ରେସ ଚର୍ଚ୍ଚିତ ମହିଳା ନେତ୍ରୀ ସୁମିତ୍ରା ଜେନା ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । କଂଗ୍ରେସ ଛାଡିବା ପରେ ସେ ପିସିସି ସଭାପତିଙ୍କ ଉପରେ ବର୍ଷିଥିଲେ । ଆଜି ସୋନାଲିଙ୍କ ଦଳ ଛାଡିବା ପରେ କଂଗ୍ରେସର ମହିଳା କାର୍ଡ କାମ କରିବନି ବୋଲି ଚର୍ଚ୍ଚା ହେଉଛି । ଦଳରେ ମହିଳାଙ୍କ ଅଧିକାଂଶ ଟିକେଟ ନମିଳିବାରୁ ଏଭଳି ଜଣକ ପରେ ଜଣେ ମହିଳା ନେତ୍ରୀ ଦଳ ଛାଡୁଥିବା ଶୁଣିବାକୁ ମିଳୁଛି ।