ରାଜନଗର( ଏଟିଆର ବ୍ୟୁରୋ): ବିବାଦ ଓ ଅଡୁଆ କଂଗ୍ରେସର ପିଛା ଛାଡୁନି । କେତେ ବେଳେ ଦଳରେ ଟିକେଟକୁ ନେଇ ଅସନ୍ତୋଷ ହୋଇ ପ୍ରାର୍ଥୀ ଦଳ ଛାଡୁଛନ୍ତି ତ ପୁଣି କେତେ ବେଳେ ଶୁଣିବାକୁ ମିଳୁଛି ପାର୍ଟିର ପିସିସି ସଭାପତି ନାମକୁ ମାତ୍ର ସଭାପତି ବରଂ ତାଙ୍କ ପୁଅ ହେଉଛନ୍ତି ସଭାପତି । ପୁଣି କେତେବେଳେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ଟିକେଟ ଦଉନି ଦଳ । ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ନୂଆ ନୂଆ ଅଭିଯୋଗ ଆସୁଛି କଂଗ୍ରେସ ନାଁରେ । ବର୍ତ୍ତମାନ ସେମିତି ଏକ ଅଭିଯୋଗ ଆସିଛି ରାଜନଗର ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ନାମରେ ।
ବିଜେଡି ବିଧାୟକ ପ୍ରାର୍ଥୀ ଧୃବଚରଣ ସାହୁ ଅଭିଯୋଗ କରିଛନ୍ତି ଯେ ଅଂଶୁମାନ ମିଥ୍ୟା ସତ୍ୟପାଠ ଦାଖଲ କରିଛନ୍ତି ବୋଲି । ଶ୍ରୀ ସାହୁ ଅଭିଯୋଗରେ ଦର୍ଶାଇଛନ୍ତି ଯେ ରାଜନଗର ଥାନା ହାତିନା ପଞ୍ଚାୟତ କଇଥା ଗ୍ରାମରେ ଏକ ଏକୋଇଶା ଭୋଜିରେ ବେଆଇନ ଡ୍ରୋନ କ୍ୟାମେରା ଉଡାଣ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଯାହାକୁ ନେଇ ଗାଁର ସର୍ବେଶ୍ୱର ସାମଲ ଗତବର୍ଷ ସେପ୍ଟେମ୍ବର ୪ ତାରିଖରେ ରାଜନଗର ଥାନାରେ ବିଧାୟକ ଅଂଶୁମାନ ମହାନ୍ତିଙ୍କ ନାମରେ ଏତଲା ଦେଇଥିଲେ ରାଜନଗର ଥାନାରେ ଏନେଇ ଦଫା ୩୪୧,୩୨୩,୨୯୪,୫୦୬,୩୫୪ ସି, ୧୦୯, ୩୪ ଆଇପିସି ଓ୬୬ ଇ ( ଆଇଟି) ମାମଲା( ନଂ୧୪୯/୧୮)ରେ ମାମଲା ରୁଜୁ ହୋଇଛି । କିନ୍ତୁ ଶ୍ରୀ ମହାନ୍ତି ଏ ବିଷୟରେ ସତ୍ୟପାଠରେ ଦର୍ଶାଇ ନଥିବା ଧୃବଚରଣ ସାହୁ ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ କରିବାକୁ ଧୃବସାହୁ ଦାବି କରିଛନ୍ତି । ସେପଟେ ମାମଲା ବିଷୟରେ ଅଂଶୁମାନ କିଛି ଜାଣିନଥିବା କହିଛନ୍ତି । ତାଙ୍କୁ ଏ ବାବଦରେ ଥାନାରୁ କୌଣସି ନୋଟିସ ମିଳିନଥିବା ସେ କହିଛନ୍ତି ।