ନୟାଗଡ (ଏଟିଆର ବ୍ୟୁରୋ); ଚଳିତ ନିର୍ବାଚନରେ ରଣପୁରରେ ତିନି ପ୍ରମୁଖ ରାଜନୈତିକ ଦଳ ରଣ ହୁଙ୍କାର ଦେଇ ମଇଦାନକୁ ବାହାରିଛନ୍ତି । ତେବେ ଏହି ଆସନରେ ଜନତା କାହାକୁ ବସାଇବେ ତାକୁ ନେଇ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା । ବିଜେଡି ରଣପୁରରେ ସତ୍ୟନାରାୟଣ ପ୍ରଧାନ (ବାଦଲ)ଙ୍କ ଉପରେ ଭରଷା କରି ଟିକେଟ ଦେଇଛି । ଦୀର୍ଘ ୩ଟି ନିର୍ବାଚନରେ ଏଠାରେ ବିଜେଡି ଶାସନ ଗାଦିରେ ରହି ଆସିଛି । ଏଣୁ ଦଳ ପୁଣିଥରେ ବିଜୟ ବାନା ଉଡାଇବା ପାଇଁ ହେବିୱେଟ ବାଦଲଙ୍କୁ ଟିକେଟ ଦେଇଛି । ବିଜେପି ବାଦଲଙ୍କୁ ଟକ୍କର ଦେବା ପାଇଁ ମହିଳା ନେତ୍ରୀ ସୁରମା ପାଢ଼ୀଙ୍କୁ ପ୍ରାର୍ଥୀ କରିଛି । ଦୁଇ ବିରୋଧୀଙ୍କୁ କଡା ଟକ୍କର ଦେବା ପାଇଁ କଂଗ୍ରେସ ମିଲି ପଣ୍ଡାଙ୍କ ଉପରେ ଭରଷା କରି ନିର୍ବାଚନ ମଇଦାନକୁ ଓହ୍ଲାଇଛି ।
ତିନି ପ୍ରମୁଖ ରାଜନୈତିକ ଦଳ ଏଠାରେ ନିଜର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ଜୋରସୋରରେ ପ୍ରଚାର ଅଭିାଯାନ ଆରମ୍ଭ କରି ଭୋଟରଙ୍କ ମନ ମୋହିବା ପାଇଁ ଚେଷ୍ଟା କରୁଛନ୍ତି । ପୂର୍ବରୁ ଏଠାରେ ବିଜେଡି ବିଜୟ ବାନା ଉଡାଉଥିଲେ ସୁଦ୍ଧା ଏଥରକ ଏତେ ସହଜ ହେବ ନାହିଁ ବୋଲି ଶୁଣିବାକୁ ମିଳୁଛି । ଦୀର୍ଘ ଦିନ ଶାସନରେ ରହିଥିଲେ ସୁଦ୍ଧା ନିର୍ବାଚନ ମଣ୍ଡଳୀରେ ବହୁ ସମସ୍ୟା ରହିଛି । ଯାହାକି ବିଜେଡି ପାଇଁ କାଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନାକୁ ଲୋକଙ୍କ ନିକଟରେ ଉପସ୍ଥାପନା କରି ଭୋଟରଙ୍କ ମନ ଜିଣିବା ଲକ୍ଷ୍ୟରେ ବାହାରିଛନ୍ତି ସୁରମା । ନିର୍ବାଚନ ପୂର୍ବରୁ ଲୋକଙ୍କ ସହିତ ସବୁବେଳେ ସୁଖରେ ଦୁଃଖରେ ରହିଆସିଥିବାରୁ ସୁରମାଙ୍କୁ ଜନତା ଅଧିକ ସମର୍ଥନ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସର ମିଲି ପଣ୍ଡାଙ୍କ ସ୍ଥିତି ମଧ୍ୟ ଏଠାରେ ଭଲ ରହିଥିବା ଶୁଣିବାକୁ ମିଳୁଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅବହେଳାକୁ ମୁଖ୍ୟ ଅସ୍ତ୍ର କରି ଲୋକଙ୍କ ପାଖରେ ପହଁଞ୍ଚିବା ପାଇଁ ଚେଷ୍ଟା କରିବେ ମିଲି ।
ଯଦିଓ ବିଜେଡିର ପଲ୍ଲା ନିର୍ବାଚନ ମଣ୍ଡଳୀରେ ଭଲ ରହିଛି ତେବେ ଦଳରେ ଦୁଇ ଗୋଷ୍ଠୀ ଥିବା ଚର୍ଚ୍ଚା ହେଉଛି । ଯାହାକି ଦଳ ପାଇଁ ଅଡୁଆ ହୋଇପାରେ ବୋଲି ଶୁଣିବାକୁ ମିଳୁଛି । ଏଠାରେ ବିଜେଡି ଟିକେଟ ଆଶାରେ ରହିଥିବା ଆଶାୟୀମାନେ ଦଳରେ ରହି ମଧ୍ୟ ଭିତରେ ଭିତରେ ଚେର କାଟୁଥିବା ଶୁଣିବାକୁ ମିଳୁଛି । କାରଣ କଥାରେ ଅଛି ସଉତୁଣୀ ବିଧବା ହେବା ଦରକାର ସ୍ୱାମୀ ମରିଗଲେ ମଧ୍ୟ କିଛି ଦୁଃଖ ନାହିଁ । ମୋତେ ଟିକେଟ ମିଳିନାହିଁମାନେ ସେ ମଧ୍ୟ ହାରିବା ଦରକାର । ତେବେ ରଣପୁର ବାସୀ କାହା ଉପରେ ଭରଷା କରି ମତଦାନ କରିବେ ତାହା ମେ ୨୩ରେ ସ୍ପଷ୍ଠ ହୋଇଯିବ ।