ରାଉରକେଲା( ଏଟିଆର ବ୍ୟୁରୋ): ରାଉରକେଲା ରାଜନୀତି ନେଇଛି ନୂଆ ମୋଡ । ଦିଲୀପ ରାୟଙ୍କ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ତିନି ଦିନ ବିତିନି କେନ୍ଦ୍ରମନ୍ତ୍ରୀ ଘରକୁ ଫେରିବାକୁ ଅନୁରୋଧ । ପୂର୍ବତନ ବିଧାୟକ ଦିଲୀପ ରାୟଙ୍କୁ ବିଜେପିକୁ ଫେରିବାକୁ ଆଜି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅନୁରାଧ କରିଛନ୍ତି । ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଓରାମ କହିଛନ୍ତି ଦିଲୀପ ବାବୁ ଭାରତୀୟ ଜନତା ପାର୍ଟିର ବିଧାୟକ ଥିଲେ । ମୁଁ ତାଙ୍କୁ ଅନୁରୋଧ କରୁଛି ସେ ଦଳକୁ ଫେରି ଆସନ୍ତୁ ଏବଂ ଦଳୀୟ କାମରେ ସହଯୋଗ କରନ୍ତୁ ।
ଆହୁରି ମଧ୍ୟ କହିଛନ୍ତି ଦିଲୀପଙ୍କ ରହିଥିବା ଦୁଇଟି ପ୍ରମୁଖ ଦାବୀ ଆଇଜିଏଚ୍କୁ ସୁପରସ୍ପେଶାଲିଷ୍ଟ ହସ୍ପିଟାଲ ଦାବୀ ଓ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ କାର୍ଯ୍ୟ ଆରମ୍ବ ହୋଇ ଯାଇଛି । ଯାହାର ତଥ୍ୟ ଦିଲୀପ ବାବୁ ମାଗିଥିଲେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାହାର ସବିଶେଷ ତଥ୍ୟ ଦିଲୀପଙ୍କୁ ଦିଆଯାଇଛି । ସେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ମୁଁ ସେଥିପାଇଁ ଦିଲୀପଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି । ସୂଚନାଯୋଗ୍ୟ ଦିଲୀପ ପୂର୍ବରୁ ବିଜେପିକୁ ସମର୍ଥନ କରିବେ ନାହିଁ ବୋଲି କହିଥିଲେ । ବିଜେପିରୁ ବିଧାୟକ ପଦରୁ ଇସ୍ତପା ଦେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଏମିତିକି ରାଉରକେଲା ବିଜେଡି ବିଧାୟକ ପ୍ରାର୍ଥୀ ସାରଦା ନାୟକ ମଧ୍ୟ ତାଙ୍କୁ ଭେଟିଲେ । ଦିଲୀପ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ବର୍ତ୍ତମାନ ପୁଣି ଜୁଏଲଙ୍କ ଅନୁରୋଧ କାହାଣୀକୁ ଦେଇଛି ନୂଆ ମୋଡ ।