ମୁମ୍ବାଇ (ଏଟିଆର ବ୍ୟୁରୋ); ପୁଣି ହାରିଲା ବାଙ୍ଗାଲୋର । ଚଳିତ ଆଇପିଏଲରେ ୮ଟି ମ୍ୟାଚରୁ ଷଷ୍ଠ ପରାଜୟ ବରଣ କରିଛି ବିରାଟ ବାହିନୀ । ଦଳର ଦୁର୍ବଳ ବୋଲିଂ ବାଙ୍ଗାଲୋର ପାଇଁ କାଳ ହେଉଛି । ଗତକାଲି ମୁମ୍ବାଇ ବିପକ୍ଷ ମ୍ୟାଚରେ ବାଙ୍ଗାଲୋର ବ୍ୟାଟିଂ ଭଲ ଥିଲା । କିନ୍ତୁ ଶେଷ ସମୟରେ ଦୁର୍ବଳ ବୋଲିଂ ପାଇଁ ଦଳ ପରାଜୟ ବରଣ କରିବା ପାଇଁ ବାଧ୍ୟ ହୋଇଛି । ବାଙ୍ଗାଲୋରକୁ ମୁମ୍ବାଇ ଇଣ୍ଡିଆନ୍ସ ୫ ୱିକେଟ୍ରେ ହରାଇ ଦେଇଛି। ଫଳରେ ପଞ୍ଚମ ବିଜୟ ହାସଲ କରି ପଏଣ୍ଟ ତାଲିକାର ଚତୁର୍ଥରୁ ତୃତୀୟକୁ ଉନ୍ନୀତ ହୋଇଛି। ସେପଟେ ବାଙ୍ଗାଲୋର ସପ୍ତମ ପରାଜୟ ବରଣ କରି ସବାଶେଷ ସ୍ଥାନରେ ଝୁଲି ରହିଛି।
ବାଙ୍ଗାଲୋର ୧୭୨ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଯାହା ଶକ୍ତିଶାଳୀ ବ୍ୟାଟିଂକ୍ରମ ଥିବା ମୁମ୍ବାଇକୁ ଅଟକାଇବା ଲାଗି ଆଦୌ ପର୍ୟ୍ୟାପ୍ତ ନଥିଲା। ମୋଇନ ଅଲ୍ଲୀ ଗୋଟିଏ ଓଭରରେ ମୁମ୍ବାଇର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା (୨୮ ରନ୍, ୧୯ ବଲ୍, ୨ ଚୌକା, ୨ ଛକା) ଓ କ୍ବିଣ୍ଟନ୍ ଡି’ କକ (୪୦ ରନ୍, ୨୬ ବଲ୍, ୫ ଚୌକା, ୨ ଛକା)ଙ୍କୁ ଆଉଟ୍ କରିଥିଲେ। ଏହା ପୂର୍ବରୁ ରୋହିତ-ଡି’କକ୍ କିନ୍ତୁ ଦୃଢ଼ ମୂଳଦୁଆ ପକାଇ ସାରିଥିଲେ। ସୂର୍ୟ୍ୟ କୁମାର ଯାଦବ (୨୯ ରନ୍, ୨୩ ବଲ୍, ୨ ଚୌକା, ୧ ଛକା) ଓ ଈଶାନ କିଷନ (୨୧ ରନ୍, ୯ ବଲ୍, ୩ ଛକା) ଉପଯୋଗୀ ପାଳି ଖେଳିଥିଲେ। ତେବେ ପବନ ନେଗିଙ୍କ ଊନ୍ନବିଂଶ ଓଭରରୁ ୨୨ ରନ୍ ଅମଳ କରି ବିସ୍ଫୋରକ ହାର୍ଦିକ ପାଣ୍ଡ୍ୟା (୩୭ଞ୍ଚ ରନ୍, ୧୬ ବଲ୍, ୫ ଚୌକା, ୨ ଛକା) ମୁମ୍ବାଇକୁ ଗୋଟିଏ ଓଭର ପୂର୍ବରୁ ବିଜୟୀ କରାଇଥିଲେ।