ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଜମୁଛି ପ୍ରଚାର କମ୍ପୁଛି ମୈଦାନ । ଖରାଠୁ ଅଧିକ ନିର୍ବାଚନ ତାତି । ଦିନକ ପରେ ପରୀକ୍ଷା । କିଏ ମାରିବ ବାଜି । ଶଙ୍ଖ ବାଜିବ ନାଁ ପଦ୍ମ ଫୁଟିବ ନାଁ ହାତ ମୁଠାରେ ରହିଯିବ ସବୁକିଛି । ତାକୁ ନେଇ ଚାଲିଛି ଅଙ୍କକଷା । ଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ଦିନ ହୋଇଥିବାରୁ ଜନମତକୁ ନିଜ ସପକ୍ଷରେ ନେବାକୁ ଚାଲିଛି କଷରତ । ଆଜି ଉତ୍ତର ଭୁବନେଶ୍ୱରକୁ ଯଦି ଦେଖିବା ତିନି ଦଳର ପ୍ରାର୍ଥୀ ଆଜି ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେଡିରୁ ଶୁଶାନ୍ତ ରାଉତ , ବିଜେପିରୁ ଅପରାଜିତା ମହାନ୍ତି ଓ କଂଗ୍ରେସରୁ ଇତିଶ ପ୍ରଧାନ ନିଜ ନିଜ ପ୍ରଚାରକୁ ଆଗେଇ ନେଇଛନ୍ତି । ସେହିଭଳି ଖାଲି ପ୍ରାର୍ଥୀ ନୁହନ୍ତି ଦଳର ପ୍ରମୁଖ ନେତା ମାନେ ମଧ୍ୟ ସେମାନଙ୍କ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ।
ସେହିଭଳି ଏକାମ୍ର ଭୁବନେଶ୍ୱରରେ ମଧ୍ୟ ପ୍ରଚାର ସରଗରମ ହୋଇଛି । ପୂର୍ବତନ ବିଧାୟକ ଅଶୋକ ପଣ୍ଡା ଚଳିତ ଥର ବିଜେଡି ପ୍ରାର୍ଥୀ ହୋଇଥିବାରୁ ସେ ତାଙ୍କ ପୂର୍ବ ଅଭିଜ୍ଞତାକୁ ନେଇ ପ୍ରଚାର କରୁଛନ୍ତି । ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ସେ ପ୍ରଚାର ମାଧ୍ୟମରେ ଯଥା ସମ୍ଭବ ଭୋଟରଙ୍କ ପାଖରେ ଶେଷ ଥର ପାଇଁ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି । ସେହଭଳି କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ର ମଧ୍ୟ ତାଙ୍କ ସମର୍ଥକଙ୍କ ସହିତ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେପି ପ୍ରାର୍ଥୀ ବାବୁ ସିଂ ମଧ୍ୟ ଘରକୁ ଘର ବୁଲି ତାଙ୍କୁ ଥରଟିଏ ସୁଯୋଗ ଦେବାକୁ ନିବେଦନ କରୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ବ୍ୟତୀତ ସ୍ୱାଧୀନ ପ୍ରାର୍ଥୀ ମାନେ ମଧ୍ୟ ପଛରେ ନାହାନ୍ତି । ସେମାନେ ମଧ୍ୟ ତାଙ୍କ ସମର୍ଥକଙ୍କ ସହିତ ପ୍ରଚାର ଚଳାଇଛନ୍ତି ।
ସେହିଭଳି ପୂର୍ବତନ ମେୟର ବା ଚଳିତ ନିର୍ବାଚନରେ ମଧ୍ୟଭୁବନେଶ୍ୱରରୁ ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଭିନ୍ନ ୱାଡ ବୁଲି ଭୋଟରଙ୍କୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରୁଛନ୍ତି । ଗତ ପାଞ୍ଚ ବର୍ଷର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକୁ ନେଇ ନିଜର ଭାଗ୍ୟ ପରୀକ୍ଷା ଦେଉଛନ୍ତି । ସେହିଭଳି ବିଜେପି ପ୍ରାର୍ଥୀ ଜଗନ୍ନାଥ ବେହେରା ଘରକୁ ଘର ବୁଲି ମୋଦିଙ୍କ ବିକାଶର ବାର୍ତ୍ତା ଦେଇ ଶେଷ ଥର ପାଇଁ ଭୋଟରଙ୍କ ପାଖରେ ପହଞ୍ଚିବାକୁ ଆଶା ରଖିଛନ୍ତି । କଂଗ୍ରେସ ପ୍ରାର୍ଥୀ ରାଜୀବ ପଟ୍ଟନାୟକ ବି ଆଜି ମାରାଥନ ପ୍ରଚାର ଚଳାଇଛନ୍ତି । ସେହିଭଳି ସାରା ରାଜ୍ୟର ନଜର ଥିବା ଭୁବନେଶ୍ୱର ଲୋକସଭା ଆସନରେ ଦୁଇ ହେବିୱେଟ ପ୍ରାର୍ଥୀ ବଜେଡିରୁ ଅରୂପ ପଟ୍ଟନାୟକ ଓ ବିଜେପିରୁ ଅପରାଜିତା ଷଡଙ୍ଗୀ ପ୍ରଚାର ଜୋରଦାର କରିଛନ୍ତି ।
ସୂଚନା ଅନୁସାରେ ଆଜି ଅପରାଜିତା ବିଭିନ୍ନ ଅଞ୍ଚଳ ବୁଲିବା ପରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ପ୍ରଚାର ଶେଷ କରିବେ ବୋଲି ସୂଚନା ଦେଇଛନ୍ତି । ସେହିଭଳି ଅରୂପ ମଧ୍ୟ ଆଜି ପ୍ରଚାରରେ ଭୋଟରଙ୍କ ନିକଟତର ହେବାକୁ ରଖିଛନ୍ତି ଯୋଜନା । ସେ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଜୟଦେବ ନିର୍ବାଚନ ମଣ୍ଡଳିରେ ହେବାକୁ ଥିବା ପ୍ରଚାରରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଚାରର ଶେଷ ଦିନ ହୋଇଥିବାରୁ ଶେଷ ସୁଯୋଗକୁ କୌଣସି ପ୍ରାର୍ଥୀ ହାତଛଡା କରୁ ନଥିବା ଦେଖିବାକୁ ମିଳିଛି ।