ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ମହାରଥୀଙ୍କ ଅଡୁଆ ବଢିଲା । ଫ୍ଲାଇଂ ସ୍କ୍ୱାଡ ମାଜିଷ୍ଟ୍ରେଟଙ୍କୁ ମରଣାନ୍ତ ଆକ୍ରମଣ କରିବା ଅଭିଯୋଗରେ ଗିରଫ ହୋଇଥିବା ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି ଆଜି ଦିନକୁ ରହିଥିଲା ମ ମାତ୍ର କୋର୍ଟ ଶୁଣାଣିକୁ ଆଗାମୀ ୨୭ ତାରିଖକୁ ରଖିଛନ୍ତି । ସୂଚନା ଅନୁସାରେ ଘଟଣାର ଅଧିକ ତଦନ୍ତ ପାଇଁ ତଦନ୍ତକାରୀ ଅଧିକାରୀ ଅଧିକ ସମୟ ମାଗିଥିବାରୁ ତାରିଖ ଘୁଞ୍ଚିଛି । ବର୍ତ୍ତାନ ମହାରଥୀ ଅସୁସ୍ଥତା ହେତୁ କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।
ସୂଚନାଯୋଗ୍ୟ ଗତ ୨୧ ତାରିଖରେ ମହାରଥୀଙ୍କ ଫାର୍ମ ହାଉସରେ ଫ୍ଲାଇଂ ସ୍କ୍ୱାଡ ଚଢାଉ କରିଥିବା ବେଳେ ସେଠାରେ ମାଜିଷ୍ଟ୍ରେଟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଯେଉଁ ଅଭିଯୋଗକୁ ଭିତ୍ତିକରି ମହାରଥୀଙ୍କୁ ପୁଲିସ ଗିରଫ କରିଥିଲା । ପରେ କୋର୍ଟ ଚାଲାଣ କରାଯାଇଥିଲା । ସେଠାରୁ ତାଙ୍କୁ ଝାରପଡା ଜେଲ ପଠାଇ ଦିଆଯାଇଥିଲା । କିନ୍ତୁ ଶାରିରୀକ ଅସୁସ୍ଥତା ହେତୁ ସେ ଏବେ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧିନ ଅଛନ୍ତି । ତାଙ୍କ ନାମରେ ହତ୍ୟା ଉଦ୍ୟମ ଭଳି ସଂଙ୍ଗୀନ ଅଭିଯୋଗ ରହିଛି । ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହେପାଜତରେ ରହିବେ ।