ତେଲକୋଇ (ଏଟିଆର ବ୍ୟୁରୋ); ବୁଧବାର ବିଳମ୍ବିତ ରାତିରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ ପଛପଟେ ଧକ୍କା ଦେଲା ଲୁହାପଥର ବୋଝେଇ ଟ୍ରକ । ଘଟଣାସ୍ଥଳରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ତେବେ ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ । ୨୦ ଜଣ ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଦୁର୍ଘଟଣା ସମ୍ପର୍କରେ କବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ।
ପୋଲିସ ସୂଚନା ମୁତାବକ ବୁଧବାର ବିଳମ୍ବିତ ରାତିରେ ‘ରାକେଶ’ ନାମକ ଏକ ଘରୋଇ ବସ ରାଉରକେଲା ଯାଉଥିବା ବେଳେ କାଞ୍ଜିପାଣି ଘାଟିରେ ଟ୍ରକଟି ଆସି ବସ ପଛପଟେ ଧକ୍କା ଦେଇଥିଲା । ଫଳରେ ବସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡିଥିଲା । ଟ୍ରକର ବେଗ ଏତେ ଜୋର ଥିଲା କି ଧକ୍କା ଦେବା ପରେ ଟ୍ରକଟି ପୋଲ ତଳକୁ ମଧ୍ୟ ଖସି ପଡିଥିଲା । ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ମୃତ ଶିଶୁର ପରିବାର ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଉରକେଲା ଯାଉଥିଲେ । ତାଙ୍କ ପରିବାରର ବାକି ୫ଜଣ ସଦସ୍ୟ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।