କୋଲକାତା (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲରେ କୋଲକାତା ସପ୍ତମ ପରାଜୟ ବରଣ କରିଛି । ଦଳ ପ୍ରଥମରୁ ଭଲ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ମଧ୍ୟ ରହିଥିଲା । କିନ୍ତୁ ଲଗାତାର ୬ଟି ପରାଜୟ ପରେ ଦଳ ଏବେ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନକୁ ଖସିଯାଇଛି । ଦଳର ଅଧିନାୟକ ଦୀନେଶ କାର୍ତିକଙ୍କ ବିସ୍ଫୋରକ ୯୭ ରନ୍ ସତ୍ତ୍ବେ କୋଲକାତା ନାଇଟ୍ ରାଇଡର୍ସର ପରାଜୟ ଧାରା ଭାଙ୍ଗିପାରି ନାହିଁ।
ଗୁରୁବାର ଇଡେନ୍ ଗାର୍ଡେନ୍ସରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡର୍ସ ନବମ ଓଭର ବେଳକୁ ୪୨ ରନ୍ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। କ୍ରିସ୍ ଲିନ୍ (୦), ଶୁଭମନ ଗିଲ୍ (୧୪, ୧୪ ବଲ୍), ନୀତିଶ ରାଣା (୨୧, ୨୬ ବଲ୍) ପ୍ୟାଭିଲିଅନ୍ ଫେରିଯାଇଥିଲେ। ଭାରତୀୟ ଦ୍ରୁତ ବୋଲର ବରୁଣ ଅେରାନ୍ ନିଜ ସୁଇଙ୍ଗରେ ଲିନ୍ ଓ ଗିଲଙ୍କୁ ବୋଲଡ୍ କରିଦେଇଥିଲେ। ରାଣାଙ୍କ ୱିକେଟ୍ ନେଇଥିଲେ ସ୍ପିନର ଶ୍ରେୟସ ଗୋପାଳ। ଅଧିନାୟକ ଦୀନେଶ କାର୍ତିକ ଶେଷ ପର୍ୟ୍ୟନ୍ତ ଲଢ଼ିଥିବାବେଳେ ୩ ଇଣ୍ଡିଜ୍ ତାରକା ସୁନୀଲ ନରିନ୍ (୧୧), ଆନ୍ଦ୍ରେ ରସେଲ୍ (୧୪), କାର୍ଲୋସ୍ ବ୍ରାଥ୍ୱେଟ୍ (୫) ନିରାଶ କରିଥିଲେ।
କୋଲକାତାର ୧୭୫ ରନ୍ ଜବାବରେ ଅଜିଙ୍କ୍ୟ ରାହାଣେ (୩୪, ୨୧ ବଲ୍) ଏବଂ ସଂଜୁ ସାମସନ୍ (୨୨, ୧୫ ବଲ୍) ଭଲ ଆରମ୍ଭ କରିଥିଲେ। ଷ୍ଟିଭେନ୍ ସ୍ମିଥ୍ (୨) ଏବଂ ବେନ୍ ଷ୍ଟୋକ୍ସ (୧୧) ବିଫଳ ହେବା ପରେ ରୟାଲ୍ସ ଉପରେ ଚାପ ପଡ଼ିଥିଲା। ଯୁବ ତାରକା ରିୟାନ୍ ପରାଗ (୪୭ଞ୍ଚ, ୩୧ ବଲ୍, ୫ ଚୌକା, ୨ ଛକା) ହିଟ୍ ୱିକେଟ୍ ହୋଇଥିଲେ ମଧ୍ୟ ବିଜୟ ସମ୍ଭାବନା ପ୍ରଦାନ କରିଥିଲେ। ଶେଷକୁ ଜୋଫ୍ରା ଆର୍ଚର (୨୭ଞ୍ଚ, ୧୨ ବଲ୍, ୨ ଚୌକା, ୨ ଛକା) ଶେଷ ଓଭର ପ୍ରଥମ ଦୁଇ ବଲ୍ରୁ ଚୌକା ଓ ଛକା ମାରି ବିଜୟ ମୁଣ୍ଡି ମାରିଥିଲେ। ଆରୋନ୍ (୪-୧-୨୦-୨) ପ୍ରଶଂସନୀୟ ବୋଲିଂ ଚିତ୍ର ସହିତ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।