ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡି ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ନାମରେ ସଙ୍ଗୀନ ଅଭିଯୋଗ କରିଛନ୍ତି କେନ୍ଦ୍ରାପଡା ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା । ଅରୂପ ବିଜୁ ଯୁବ ବାହିନୀକୁ ନିର୍ବାଚନ ପ୍ରଚାର କାମରେ ବିନିଯୋଗ କରୁଥିବା ସେ ଅଭିଯୋଗ କରିଛନ୍ତି । ବିଜୁ ଯୁବ ବାହିନୀ ସରକାଙ୍କ ଏକ ଯୋଜନା । ଏହାକୁ କୌଣସି ରାଜନୈତିକ ଦଳ ପ୍ରଚାରରେ ଲଗାଇପାରିବେ ନାହିଁ । ତେବେ ଅରୂପ କେନ୍ଦ୍ରାପଡାରେ ଯୁବ ବାହିନୀ ସଦସ୍ୟଙ୍କୁ ପ୍ରଚାରରେ ଲଗାଉଛନ୍ତି । ଏଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେ ଅଭିଯୋଗ କରିଛନ୍ତି ।
ଅରୂପ ସରକାରୀ କଳର ଅପବ୍ୟବହାର କରୁଛନ୍ତି । ସେ ପୂର୍ବରୁ ପୂର୍ବରୁ ଯୁବ ବାହିନୀ ଦାୟିତ୍ୱରେ ଥିଲେ । ନିର୍ବାଚନ ଲଢ଼ିବା ପାଇଁ ଏହି ଦାୟିତ୍ୱ ଛାଡିଥିଲେ । ତେବେ ସେ ରାଜ୍ୟ ସରକାରଙ୍କ ଯୋଜନାକୁ ଏପରି ଅପବ୍ୟବହାର କରିବା ଗଣତନ୍ତ୍ରର ବିରୋଧୀ ବୋଲି କହିଛନ୍ତି ସୁନାକର। ତେବେ ଏହି ଅଭିଯୋଗ ପରେ ଅରୂପଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅରୂପ ଭୁବନେଶ୍ୱର ଲୋକସଭା ଆସନରେ ଅପରାଜିତା ଷଢ଼ଙ୍ଗୀଙ୍କ ସହ କଡା ପ୍ରତିଦ୍ୱନ୍ଦିତା କରିଛନ୍ତି । ଏମାନଙ୍କ ଭାଗ୍ୟ ଇଭିଏମରେ ବନ୍ଦ ହୋଇସାରିଛି ।
କେନ୍ଦ୍ରାପଡାରେ ଶେଷ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବାରୁ ଏଠାରେ ପ୍ରତ୍ୟେକ ଦିନ ନୂଆ ନୂଆ ରାଜନୈତିକ ଡ୍ରାମା ଦେଖିବାକୁ ମିଳୁଛି । ସବୁ ଦଳର ହେବିୱେଟମାନେ ସେଠାରେ ଯାଇ ଡେରା ପକାଇସାରିଲେଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନବୀନ ପଟ୍ଟନାୟକ ମଧ୍ୟ ପ୍ରଚାର କରିସାରିଲେଣି । ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ପରେ କେନ୍ଦ୍ରାପଡାରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି ।