ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ସ୍ଥାନରେ ଚାଲିଛି ଜନସଭା । ସେହପରି ଗୁରୁବାର ବିହାରର ମୁଙ୍ଗେର ସଦର ପ୍ରଖଣ୍ଡର ଚରବାହା ବିଦ୍ୟାଳୟ ମଇଦାନରେ ଏକ ନିର୍ବାଚନୀ ଜନସଭା ଚାଲିଥିଲା । ସେହି ସଭା ମଞ୍ଚ ଉପରେ ରାଷ୍ଟ୍ରୀୟ ଜନତା ଦଳ (ରାଜଦ) ର ନେତା ଏବଂ ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ପ୍ରସାଦ ଯାଦବ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅଚାନକ୍ ମଞ୍ଚ ଭୁଷୁଡି ପଡିଥିଲା, ମାତ୍ର ଅଳ୍ପକେ ବର୍ତ୍ତି ଯାଇଥିଲେ ନେତା ଓ ମନ୍ତ୍ରୀ ।
ରାଜଦର ଜଣେ ନେତାଙ୍କ କହିବାନୁଯାୟୀ ମଞ୍ଚ ଉପରେ କ୍ଷମତା ଠାରୁ ଅଧିକ ଲୋକ ହୋଇଯିବା ହେତୁ ମଞ୍ଚ ଭାଙ୍ଗି ପଡିଥିଲା । ବିଧାନସଭାର ବିପକ୍ଷ ନେତା ତେଜସ୍ୱୀ ଯାଦବ ମୁଙ୍ଗେର ମଞ୍ଚରୁ ଲୋକଙ୍କୁ ସମ୍ବୋନ୍ଧିତ କରୁଥିଲେ, ସେହି ସମୟରେ ମଞ୍ଚ ଉପରେ ୫୦ ରୁ ଅଧିକ ଲୋକ ଉପସ୍ଥିତ ଥିଲେ । ଯେତେବେଳେ ତେଜସ୍ୱୀ ଭାଷଣ ସମାପ୍ତ ହୋଇଥିଲା ସେତେବେଳେ କିଛି ମଞ୍ଚ ଉପରେ ଚଢିଯିବା ସହ ସେଲ୍ଫି ନେବା ଆରମ୍ଭ କରିଥିଲେ । ଏହାପରେ ସଭାରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ତେଜସ୍ୱୀ ପ୍ରଶ୍ନ କରିଥିଲେ କି, ‘ଆପଣମାନେ ଯଦି ହାତ ଟେକି କହିବେ ତେବେ ମହାଗଠବନ୍ଧନର ପ୍ରତ୍ୟାଶୀ ନିଲମ ଦେବୀଙ୍କୁ ବିଜୟ ମାଳ ପିନ୍ଧାଇ ଦେବୁ’ । ଏଥିରେ ଜନସାଧାରଣ ହାତ ଟେକିଲେ ଏବଂ ନିଲମ ଦେବୀଙ୍କୁ ମାଳା ପିନ୍ଧାଇଲା ବେଳକୁ ଅଚାନକ୍ ମଞ୍ଚ ଭୁଷୁଡି ପଡିଥିଲା । ଏହି ଘଟଣାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପ୍ରକାଶ ନାରାୟଣ ଯାଦବ, ତେଜସ୍ୱୀ ଯାଦବ ସମେତ ଅନେକ ଲୋକେ ସାମାନ୍ୟ ଆହତ ହୋଇଛନ୍ତି ।