ଜୟପୁର (ଏଟିଆର ବ୍ୟୁରୋ); ଚଳିତ ଆଇପିଏଲର ୪୫ତମ ମ୍ୟାଚରେ ହାଇଦ୍ରାବାଦକୁ ହରାଇଲା ରାଜସ୍ଥାନ । ଦଳ ସିଧା ସପ୍ତମ ସ୍ଥାନରୁ ଷଷ୍ଠ ସ୍ଥାନକୁ ଲମ୍ଫମାରିଛି । ରାଜସ୍ଥାନ ୧୨ଟି ମ୍ୟାଚରୁ ୫ମ ବିଜୟ ହାସଲ କରିଛି । ଗତକାଲି ଯଦି ମ୍ୟାଚ ହାରିଥାଆନ୍ତା ତେବେ ସିରିଜରୁ ବାଦ ପଡିଥାଆନ୍ତା ଦଳ । ତେବେ ବିଜୟ ହେବାପରେ ରାଜସ୍ଥାନର ପ୍ଳେଅଫ ଆଶା ପୁଣିଥରେ ଉଜିବିତ ହୋଇଛି । ହାଇଦ୍ରାବାଦ ୧୧ ମ୍ୟାଚରୁ ୫ଟି ବିଜୟ ହୋଇ ଚତୁର୍ଥ ସ୍ଥାନରେ ରହିଛି ।
ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ମନିଷ ପାଣ୍ଡେଙ୍କ ଅର୍ଦ୍ଧଶତକ ବଳରେ ହାଇଦ୍ରାବାଦ ନିର୍ଦ୍ଧାରିତ ଓଭର ମଧ୍ୟରେ ୧୬୦ ରନ କରିବାରେ ସକ୍ଷମ ହୋଇଥିଲା । ଗତକାଲି ମ୍ୟାଚରେ ହାଇଦ୍ରାବାଦର ୬ଜଣ ଖେଳାଳି ଦୁଇ ଅଙ୍କ ଛୁଇଁନାହାଁନ୍ତି । ତେବେ ଡେଭିଡ ୱାର୍ଣ୍ଣର ଗତକାଲି ବେଶି ସମୟ ତିଷ୍ଠି ପାରିନଥିଲେ ଫଳରେ ଦଳୀୟ ସ୍କୋର ବିଶାଳ ରୂପ ନେଇନଥିଲା ।
୧୬୧ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ରାଜସ୍ଥାନ ପାଇଁ ବିଦେଶୀ ଖେଳାଳି ଲିଆମ ଲିଭିଙ୍ଗଷ୍ଟୋନ୍ ଓ ଅଜିଙ୍କ୍ୟ ରାହାଣେ (୩୯ ରନ୍, ୩୪ ବଲ୍, ୪ ଚୌକା, ୧ ଛକା) ଦୃଢ଼ ମୂଳଦୁଆ ପକାଇଥିଲେ। ଏହା ପରେ ସଞ୍ଜୁ ସାମସନ୍ ଦ୍ରୁତ ୪୮ଞ୍ଚ (୩୨ ବଲ୍, ୪ ଚୌକା, ୧ ଛକା) ରନ୍ କରି ମହତ୍ବପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ରାଜସ୍ଥାନ ୧୯.୧ ଓଭରରେ ୩ ୱିକେଟ୍ ହରାଇ ସହଜରେ ମ୍ୟାଚ୍ ଜିତି ନେଇଥିଲା। ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।
ସଂକ୍ଷିପ୍ତ ସ୍କୋର: ହାଇଦ୍ରାବାଦ ୨୦ ଓଭରରେ ୧୬୦/୮ ( ମନୀଷ ପାଣ୍ଡେ ୬୧, ଡେଭିଡ୍ ୱାର୍ନର ୩୭, ରସିଦ ଖାନ୍ ୧୭ଞ୍ଚ, ଜୟଦେବ ଉନାଦକଟ ୨/୨୬, ଓସାନେ ଥୋମାସ ୨/୨୮, ଶ୍ରେୟସ୍ ଗୋପାଳ ୨/୩୦, ବରୁଣ ଆରୋନ ୨/୩୬)। ରାଜସ୍ଥାନ ରୟାଲ୍ସ ୧୯.୧ ଓଭରରେ ୧୬୧/୩ (ସଞ୍ଜୁ ସାମସନ୍ ୪୮ଞ୍ଚ, ଲିଆମ ଲିଭିଙ୍ଗଷ୍ଟୋନ୍ ୪୪, ଷ୍ଟିଭେନ୍ ସ୍ମିଥ୍ ୨୨, ସକିବ-ଅଲ୍-ହାସନ ୧/୨୬, ରସିଦ ଖାନ୍ ୧/୩୦, ଖଲିଲ ଅହମ୍ମଦ ୧/୩୩)।