ଭୁବନେଶ୍ୱର (ଏଟିଆର ବ୍ୟୁରୋ); ସାରା ଓଡିଶାରେ ଆଜି ସରୁଛି ଭୋଟ । କେବଳ ପାଟକୁରା ନିର୍ବାଚନ ମଣ୍ଡଳୀକୁ ଛାଡିଦେଲେ ବାକି ଥିବା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ହେଉଛି ମତଦାନ । ଚତୁର୍ଥ ପର୍ଯ୍ୟାୟରେ ୬ଟି ଲୋକସଭା ଏବଂ ୪୧ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଖୁସିର ସହ ଲୋକମାନେ ଭୋଟଦେବା ପାଇଁ ଆସୁଛନ୍ତି । ତେବେ ଆଜି କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ଜଗତସିଂହପୁର ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ ଚାଲିଛି।
୬ଟି ଲୋକସଭା ଆସନ ପାଇଁ ୫୨ଜଣ ପ୍ରାର୍ଥୀ ହୋଇଥିବା ବେଳେ ୪୧ଟି ବିଧାନସଭା ଆସନ ପାଇଁ ୩୩୬ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଆଜି ଏମାନଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯିବ। ଆଜି ୯୫ ଲକ୍ଷ ୧୪ ହଜାର ୮୮୩ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ୧୦,୭୯୨ଟି ବୁଥ୍ର ବ୍ୟବସ୍ଥା କରାଯାଇଛି। ନିର୍ବାଚନରେ ୭୨ ହଜାର ୩୬୩ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ୧୦୫ଟି ବୁଥ୍ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କ ଦ୍ୱାରା ପରିଚାଳିତ ହେଉଛି। ପ୍ରଥମ ଥର ପାଇଁ ଏପରି ବ୍ୟବସ୍ଥା କରାଯାଇଛି।
ସିଇଓ କହିଛନ୍ତି, ୩୦୯୨ ପୋଲିଂ ବୁଥ ସମ୍ବୋଦନଶୀଳ ଅଟେ। ୧୧୨୬ଟି କେନ୍ଦ୍ରରେ ୱେବ କାଷ୍ଟିଙ୍ଗ ହେବ। ୫୫୪ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଖଂଜାଯାଇଛି। ସେହିପରି ୫୯୫ ମତଦାନ କେନ୍ଦ୍ର ମାଇକ୍ରୋ ଅବଜରଭର ରହିବ। ସେହିଭଳି ୧୦୫ଟି ମତଦାନ କେନ୍ଦ୍ରକୁ ସଂପୂର୍ଣ୍ଣ ରୂପେ ମହିଳାଙ୍କ ଦ୍ୱାରା ପରିଚାଳନା କରାଯାଉଥିବା ବେଳେ ୪ଟି କେନ୍ଦ୍ରକୁ ଦିବ୍ୟାଙ୍ଗ କର୍ମଚାରୀମାନେ ପରିଚାଳନା କରୁଛନ୍ତି। ଚତୁର୍ଥ ପର୍ୟ୍ୟାୟ ନିର୍ବାଚନରେ ମୋଟ ୭୨,୩୬୩ ଜଣ ପୋଲିଂ କର୍ମଚାରୀ ନିଯୁକ୍ତ ହୋଇଛନ୍ତି।