ଜଗତସିଂହପୁର ( ଏଟିଆର ବ୍ୟୁରୋ): ଆଜିବି ମନେ ପଡୁଛି ସେଦିନ ପ୍ରକୃତିର ସେହି କରାଳ ରୂପ । କିଏ ଜାଣି ଥିଲା ଏମିତି ହେବ? କେଇଟା ଘଣ୍ଟାରେ ହଜାର ହଜାର ଜୀବନ ପାଲଟିଯିବ ଶବ । ଆଜି ଜଗତସିଂହପୁର ଜିଲ୍ଲାର ଏରସମା ବଜାରରେ ଜଣେ ୭୦ ବର୍ଷର ମଉସାଙ୍କ ମୁହଁରୁ ଏମତି କେଇପଦ କଥା ଶୁଣିବାକୁ ମିଳିଲା । ଆଜି ସାରା ରାଜ୍ୟରେ ଯେତେବେଳେ ସମ୍ବାବ୍ୟ ବାତ୍ୟା ଫନିକୁ ନେଇ ଆଲୋଚନା ଚାଲିଛି ସେତେବେଳେ ମଉସାଙ୍କର ଏଇ ଦୁଇପଦ କଥା ଫେରାଇନେଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖକୁ । ଏହି ୧୯ ବର୍ଷ ଭିତରେ ଓଡିଶା , ହୁଡହୁଡ, ଫାଇଲିନ, ତିତିଲି ପରି ବାତ୍ୟାକୁ ଓଡିଶା ସାମ୍ନା କରିଛି ମାତ୍ର ଭୂଲି ପାରୁନି ୧୯୯୯ ର ସେହି ଦିନକୁ ।
ଆଜିବି ଜଳଜଳ ହେଇ ନାଚୁଛି ଆଖିରେ । କଳା ହାଣ୍ଡିଆ ମେଘ ସାଙ୍ଗକୁ ଖାଲି କୁହୁଡି ପରି ପବନ ଡେଙ୍ଗାଡେଙ୍ଗା ନଡିଆ ଗଛସବୁକୁ ଲଗେଇ ଦଉଥିଲା ତଳେ । ମହାବାତ୍ୟା ତାଣ୍ଡବର ସବୁଠାରୁ ଅଧିକ ପ୍ରଭାବ ପଡିଥିଲା ଜଗତସିଂହପୁର ଏରସମା ଅଞ୍ଚଳ । ଯୋଉଥିରେ ୧୦ ହଜାରରୁ ଅଧିକ ଲୋକ ମରିଥିବା ଆକଳନ କରାଯାଏ । କେଉଁ ପରିବାରରେ ବାପା ଥିଲେ ପୁଅ ନାହିଁତ ଆଉ କୋଉଠି ମା ଛେଉଣ୍ଡ ହୋଇ ଯାଇଥିଲା ପୁଅ । ଗାଁ ଦାଣ୍ଡ, ବିଲବାରି ଯୁଆଡେ ଦେଖିବ ସିଆଡେ ଖାଲି କୁଢକୁଢ ଶବ । ଯୋଉଥିରେ ସମ୍ପୂର୍ଣ୍ଣ ଜଗତସିଂହପୁର ଜିଲ୍ଲାର ମେରୁଦଣ୍ଡ ଭାଙ୍ଗିଯାଇଥିଲା । ସେହି ଅଞ୍ଚଳରେ ଆଜିବି ଲୋକେ ବାତ୍ୟାର ନାଁ ଶୁଣିଲେ ଡରି ଯାଆନ୍ତି । ମଉସା ଜଣଙ୍କ ଆହୁରି ମଧ୍ୟ କହିଥିଲେ ହେ କାଳିଆ ଠାକୁର ତୁହିଁ ଭରଷା ।
ତେବେ ଆଗକୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ଫନି ପାଇଁ ସରକାର ପ୍ରସ୍ତୁତ ରହିଛନ୍ତିି ବାତ୍ୟାର ମୁକାବିଲା କରିବାକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୟବିତ ନ ହେବାକୁ ପରାମର୍ଶ ଦେଇଛନ୍ତି । ବାତ୍ୟାର ମୁକାବିଲା ପାଇଁ ନିଜେ ପ୍ରସ୍ତୁତ ରୁହନ୍ତୁ ଓ ସରକାରଙ୍କୁ ସହଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳରୁ ୮୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରଯିବା ପାଇଁ ପ୍ରଶାସନ ନିଷ୍ପତି ନେଇଛି ।