ଯାଜପୁର (ଏଟିଆର ବ୍ୟୁରୋ); ଗାଧୋଇବା ପାଇଁ ଆସିଥିବା ବାପା ଏବଂ ପୁଅ ନଦୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ଘରର ଦୁଇଜଣ ସଦସ୍ୟଙ୍କୁ ହରାଇବା ପରେ ଦୁଃଖରେ ଭାଙ୍ଗିପଡିଛନ୍ତି ପରିବାର ଲୋକ । ତେବେ ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା କଣ୍ଟିପୁରରେ । ମୃତକ ହେଲେ ସରୋଜ ବଳ (୩୨) ଏବଂ ତାଙ୍କ ପୁଅ ଆୟସ ବଳ (୭) । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ପୋଲିସ ।
ସୂଚନା ଅନୁଯାୟୀ ଗତକାଲି ରାତିରେ ବାପା ପୁଅ ଖରସ୍ରୋତା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ବାଇଟାଙ୍ଗୀ ମଠ ନିକଟରେ ସେମାନେ ଗାଧୋଉଥିବା ବେଳେ ଭାସିଯାଇଥିଲେ । ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କୁ ପାଇନଥିଲେ । ପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଖୋଜାଖୋଜି କରିଥିଲେ । ଆଜି ଅଗ୍ନିଶମ କର୍ମଚାରୀମାନେ କଣ୍ଟିପୁର ବ୍ରିଜ ନିକଟରୁ ବାପା ଏବଂ ପୁଅର ଶବକୁ ଉଦ୍ଧାର କରିଥିଲେ । ଏହାପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଦେଇଛି । ଅକାଳରେ ପରିବାରର ଦୁଇଜଣଙ୍କ ଜୀବନ ଯାଇଥିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକ । ଗାଁରେ ମଧ୍ୟ ଦେଖାଦେଇଛି ଶୋକାକୂଳ ପରିବେଶ ।