କଟକ (ଏଟିଆର ବ୍ୟୁରୋ); ମେ’ ପ୍ରଥମ ସପ୍ତାହରେ ମେଟ୍ରିକ ରେଜଲ୍ଟ ବାହାରିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା । ସବୁ କିଛି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ମଧ୍ୟ ପହଁଞ୍ଚିଥିଲା । କିନ୍ତୁ ‘ଫୋନି’ ପାଇଁ ସବୁକିଛି ବଦଳିଯାଇଛି । ମେ’ ଦ୍ବିତୀୟ ସପ୍ତାହରେ ମାଟ୍ରିକ୍ ଫଳ ପ୍ରକାଶନ ପାଇଁ ବୋର୍ଡ କର୍ତ୍ତୃପକ୍ଷ ଯୋଜନା କରୁଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଏପ୍ରିଲ୍ ୫ତାରିଖରୁ ମୂଲ୍ୟାୟନ ସରିଥିଲା। ମୂଲ୍ୟାୟନ କେନ୍ଦ୍ରରୁ ଅନଲାଇନରେ ମାର୍କ ପୋଷ୍ଟିଂ କରାଯାଇଥିଲା। ଫଳ ପ୍ରକାଶନ ବିଳମ୍ବ ନ କରିବା ପାଇଁ ଦୀର୍ଘ ଉତ୍ତରମୂଳକ ମୂଲ୍ୟାୟନ ଚାଲିଥିବା ବେଳେ ରାଜ୍ୟ ବାହାରର ଏକ କମ୍ପ୍ୟୁଟର ଫାର୍ମରେ ଓଏମ୍ଆର୍ ମୂଲ୍ୟାୟନ ମଧ୍ୟ ଚାଲିଥିଲା। କିନ୍ତୁ ମେ’ ୧୦ତାରିଖ ପରେ ମାଟ୍ରିକ୍ ଫଳ ପ୍ରକାଶନ କରାଯିବା ପାଇଁ ପ୍ରସ୍ତୁତି ଚାଲିଥିବା ସଂପୃକ୍ତ ଅଧିକାରୀ କହିଛନ୍ତି।
ସୂଚନା ଯୋଗ୍ୟ,ଏବର୍ଷ ଫେବ୍ରୁଆରି ୨୨ରୁ ମାଟ୍ରିକ୍, ମଧୢମା ଓ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ଆରମ୍ଭ ହୋଇ ମାର୍ଚ ୮ରେ ଶେଷ ହୋଇଥିଲା। ଖାତା ମୂଲ୍ୟାୟନ ମାର୍ଚ ୨୪ରୁ ଆରମ୍ଭ ହୋଇ ଏପ୍ରିଲ୍ ୫ରେ ଶେଷ ହୋଇଥିଲା। ଚଳିତବର୍ଷ ତିନିଟି ଯାକ ବର୍ଗରେ ମୋଟ ୫ଲକ୍ଷ ୮୭ହଜାର ୭୨୦ଜଣ ପରୀକ୍ଷାର୍ଥୀ ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ମାଟ୍ରିକ୍ ରେଗୁଲାରରେ ୫ଲକ୍ଷ ୪୫ହଜାର ୩୬୪ଜଣ, ଏକ୍ସ ରେଗୁଲାରରେ ୨୫ହଜାର ୮ଜଣ, ପତ୍ରବିନିମୟ(ସିସି) ରେଗୁଲାରରେ ୨୧୦୬ଜଣ, ପତ୍ରବିନିମୟ ଏକ୍ସରେଗୁଲାରରେ ୨୧୧ଜଣ, ମଧୢମାରେ ୩ହଜାର ୯ଜଣ ଓ ଓପନ୍ ସ୍କୁଲରେ ୧୨ହଜାର ୧୨ଜଣ ପରୀକ୍ଷା ଦେଇଥିଲେ।