ବିଶାଖାପାଟଣାମ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଯିବ । ଏଲିମିନେଟର ରାଉଣ୍ଡରେ ଦିଲ୍ଲୀ ଏବଂ ହାଇଦ୍ରାବାଦ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଉଭୟ ଦଳର ବହୁ ଷ୍ଟାର ବିଦେଶୀ ଖେଳାଳି ସ୍ୱଦେଶ ଫେରିଯାଇଛନ୍ତି । ତେବେ ଦେଶୀ ଖେଳାଳି ଏବଂ ବଳକା ବିଦେଶୀ ଖେଳାଳିଙ୍କୁ ନେଇ ମ୍ୟାଚ ବିଜୟ ଆଶାରେ ମଇଦାନକୁ ଓହ୍ଳାଇବେ ଉଭୟ ଦଳ । ଦୁଇ ଦଳର ଖେଳାଳି ଭଲ ଫର୍ମରେ ରହିଥିବାରୁ ଆଜିର ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଇଛି ।
ଦିଲ୍ଲୀ ଚଳିତ ବର୍ଷ ୧୮ ପଏଣ୍ଟ ପାଇଁ ପ୍ଳେଅଫ ପାଇଁ ସ୍ଥାନ ପକ୍କା କରିଛି । ଅପରପକ୍ଷରେ ଆଇପିଏଲ ଇତିହାସରେ ପ୍ରଥମଥର ଲାଗି ୧୨ ପଏଣ୍ଟ ପାଇଁ ପ୍ଳେଅଫ ଖେଳିବା ପାଇଁ ଯାଉଛି ହାଇଦ୍ରାବାଦ । ଦଳର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଡେଭିଡ୍ ୱାର୍ନର (୬୯୨) ଏବଂ ଜନି ବେୟାରଷ୍ଟୋ (୪୪୫) ଦଳ ଛାଡ଼ିସାରିଛନ୍ତି। ଫଳରେ ଦଳ ଟିକେ ଚାପରେ ରହିବ। ଏଥିସହ ଦଳରେ ଅଧିନାୟକ କେନ୍ ୱିଲିୟମସନ୍ ନିଜ ଦେଶୀୟ ସାଥୀ ମାର୍ଟିନ ଗପ୍ଟିଲଙ୍କ ଉପରେ ମଧ୍ୟ ଭରସା କରିବେ। ବୋଲିଂରେ ରସିଦ ଖାନ୍, ଭୁବନେଶ୍ବର କୁମାର ଏବଂ ଖଲିଲ ଅହମ୍ମଦ ଭଲ କରୁଥିବାରୁ ହାଇଦ୍ରାବାଦ ପୁରା ମାତ୍ରରେ ଦିଲ୍ଲୀକୁ ଦାବିବା ଲକ୍ଷ୍ୟରେ ରହିଛି।
ଦୀର୍ଘ ୬ବର୍ଷ ପରେ ପ୍ଳେଅଫରେ ଦିଲ୍ଲୀ । ଏଣୁ ଦଳୀୟ ଖେଳାଳିଙ୍କ ମନରେ ରହିଛି ଉତ୍ସାହ । ତେବେ ଦଳ ବ୍ୟାଟିଂରେ ଧାୱନ,ପନ୍ଥ ଏବଂ ଶ୍ରେୟସ ଆୟାରଙ୍କ ଉପରେ ଭରଷା କରୁଥିବା ବେଳେ ବୋଲିଂରେ ବୋଲ୍ଟ,ଅମିତ ମିଶ୍ରା ଏବଂ ଇଶାନ୍ତଙ୍କ ଉପରେ ଭରଷା ରଖିବ । ଦଳର ଶ୍ରେଷ୍ଠ ବୋଲର ରାବାଡା ସ୍ୱଦେଶ ଫେରିଯାଇଛନ୍ତି । ଚଳିତ ଆଇପିଏଲରେ ସେ ସର୍ବାଧିକ ୨୫ଟି ୱିକେଟ ନେଇ ପର୍ପଲ କ୍ୟାପ ଲିଷ୍ଟରେ ଉପରେ ରହିଛନ୍ତି ।