ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବାତ୍ୟା ଫୋନି ପରେ ପୁରୀ ଓ ଖୋର୍ଦ୍ଧାରେ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟାପରେ ପୁଃନଉଦ୍ଧାର କିପରି ଚାଲିଛି ଓ କିଭଳି ବାକିଥିବା ସ୍ଥାନରେ ଲୋକଙ୍କ ପାଖରେ ରିଲିଫ ପହଞ୍ଚିବ ସେ ନେଇ ସ୍ଥିତି ସମୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି । ସୂଚନା ଅନୁସାରେ ପୁରୀ ଓ ଖୋର୍ଦ୍ଧାରେ ସଡକ ଯୋଗାଯୋଗ ଓ ପାନୀୟ ଜଳ ସମସ୍ୟା ସ୍ୱଭାବିକ ହୋଇଛି । ଟେଲିକମ ଯୋଗାଯୋଗରେ କିଭଳି ତୁରନ୍ତ ସ୍ୱଭାବିକ ହେବ ସେ ନେଇ ଭିତ୍ତିଭୂମି ଓ କାମ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଆସନ୍ତା କାଲି ଠାରୁ ଖୋର୍ଦ୍ଧା ଓ ପୁରୀରେ ବାକିଥିବା ସ୍ଥାନ ମାନଙ୍କରେ ରିଲିଫ ବାଣ୍ଟିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମୋବାଇଲ ନେଟୱର୍କ ସମସ୍ୟାକୁ ଦୂର କରିବା ପାଇଁ ପୁରୀରେ ଅନହ୍ୱିଲ ଟାୱାରରେ ଯୋଗାଯୋଗକୁ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ ବାତ୍ୟା ଫୋନିରେ ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ବ୍ୟାପକ କ୍ଷତି ହୋଇଥିଲା । ପୁରୀରେ ବର୍ତ୍ତମାନ ମଧ୍ୟ ମୋବାଇଲ ନେଟୱର୍କ ସମସ୍ୟା ରହିଛି । ସେହିଭଳି ଭୁବନେଶ୍ୱରରେ ଏହି ସମସ୍ୟାକୁ ଦୂର କରିବା ପାଇଁ ମୋବାଇଲ କମ୍ପାନି ମାନେ ବଡ ପଦକ୍ଷେପ ନେଇଛନ୍ତି । ଯେ କୌଣସି ନେଟୱର୍କର ଉପଭୋକ୍ତା ପାଖରେ ଆସୁଥିବା କୌଣସି ନେଟୱର୍କ ସହିତ ନିଜ ନେଟୱର୍କକୁ ରେଜିଷ୍ଟର କରି ସେବା ପାଇ ପାରିବେ । ରାଜଧାନୀରେ ପାନୀୟ ଜଳ ସମସ୍ୟା ମଧ୍ୟ ଅନେକାଶଂରେ ଦୂର ହୋଇଛି । ଆସନ୍ତା ୧୨ ତାରିଖ ମଧ୍ୟରେ ଭୁବନେଶ୍ୱରରେ ଶତପ୍ରତିଶତ ବିଜୁଳି ସେବା ସ୍ୱାଭାବିକ ହେବ ବୋଲି ଜଣାପଡିଛି ।