ବାଲେଶ୍ୱର (ଏଟିଆର ବ୍ୟୁରୋ); ବିଲକୁ ଯାଇଥିଲେ ଚାଷୀ । ସେଠାରୁ ଆଉ ସେ ଫେରିନଥିଲେ । ପରେ ତାଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ତେବେ ତାଙ୍କର ମୃତ୍ୟୁ କିଭଳି ହୋଇଛି ତାହା ଜଣାପଡିନାହିଁ । କିନ୍ତୁ ସେ ବିଦ୍ୟୁତ ତାର ସସ୍ପର୍ଷରେ ଆସି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି । ମୃତ ଚାଷୀ ହେଲେ କଳିଆଖିଆ ଗାଁର ମୁରାରୀ ଗିରିଙ୍କ ପୁଅ ରବିନ୍ଦ୍ର ଗିରି । ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ଘଟଣାର ତଦନ୍ତ ଜାରି ।
ମିଳିଥିବା ସୂଚନା ମୁତାବକ ଗତକାଲି ରାତିରେ ଧାନ ବିଲକୁ ଯାଇଥିଲେ ରବିନ୍ଦ୍ର । ତେବେ ସେ ଘରକୁ ବିଳମ୍ବ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକ ସନ୍ଦେହ କରି ବିଲକୁ ଯାଇଥିଲେ । ସେଠାକୁ ଯିବା ପରେ ସେମାନେ ମୃତଦେହକୁ ଦେଖିଥିଲେ । ତେବେ ବିଲ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ବିପଦ ସଙ୍କୁଳ ଅବସ୍ଥାରେ ତଳକୁ ଓହଳିଥିବା ଦେଖିଥିଲେ । ଏଣୁ ପରିବାର ଲୋକ ଅଭିଯୋଗ କରିଛନ୍ତି ରବିନ୍ଦ୍ର ବିଦ୍ୟୁତ ତାର ସସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଛନ୍ତି ।
୧୧ କେଭି ବିଦ୍ୟୁତ ତାର ଏତେ ତଳକୁ ଯାଇଥିଲେ ସୁଦ୍ଧା ଇଲେକ୍ଟ୍ରି ଡିପାର୍ଟର କିଭଳି ଦୃଷ୍ଟି ଗୋଚର ହୋଇନଥିଲା ତାକୁ ନେଇ ଉଠିଛି ପ୍ରଶ୍ନବାଚୀ । ତେବେ ପୂର୍ବରୁ ବିଦ୍ୟୁତ ବିଭାଗର ଅସାବଧାନତା ପାଇଁ ବହୁ ଧନ ଜୀବନ ନଷ୍ଟ ହୋଇଛି । ବିଶେଷ କରି ବନ୍ୟଜନ୍ତୁଙ୍କ ଜୀବନ ମଧ୍ୟ ଅକାଳରେ ଚାଲିଯାଇଛି ।