ଭଦ୍ରକ (ଏଟିଆର ବ୍ୟୁରୋ); କାମ କଲାନି ଦେଶି ଚିକିତ୍ସା । ଆଧୁନିକ ଯୁଗରେ ଚେର ମୂଳିକୁ ବିଶ୍ୱାସ କରି ଖାଇଥିବା ସିଠାଫଳ ହୋଇଛି କାଳ । ଗୋଟିଏ ପରିବାରର ଜଣଙ୍କ ଜୀବନ ଯାଇଥିବା ବେଳେ ଆଉଜଣେ ଗୁରୁତର ଅସୁସ୍ଥ ହୋଇଛନ୍ତି । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅନ୍ତର୍ଗତ ବିନାୟକପୁର ଗାଁରେ । ମୃତକ ହେଲେ ଜିତନ ମଳିକ । ଅସୁସ୍ଥ ବ୍ୟକ୍ତି ହେଲେ ଜିତନଙ୍କ ବଡଭାଇ ଅଗସ୍ତି ମଳିକ । ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ମୁତାବକ ଜିତନଙ୍କ ପରିବାର ଲୋକଙ୍କୁ କାଛୁ କୁଣ୍ଡିଆ ହୋଇଥିଲା । ତେବେ ସେମାନେ ଦେଶୀ ଚିକିତ୍ସା କରିଥିଲେ । ସିଠାଫଳ ପାଣି ପିଇଲେ କାଛୁ କୁଣ୍ଡିଆ ଭଲ ହୋଇଯାଏ ବୋଲି କଥାରେ ଅଛି । ଏଣୁ ସେମାନେ ସିଠାଫଳର ପାଣି ପିଇଥିଲେ ବୋଲି ଜଣାପଡିଛି । ଯାହାକି ସେମାନଙ୍କ ପାଇଁ କାଳ ହୋଇଛି । ପ୍ରଥମେ ଜିତନଙ୍କ ଜୀବନ ଅକାଳରେ ଚାଲିଯାଇଥିବା ବେଳେ ପରେ ତାଙ୍କ ଭାଇ ଅସୁସ୍ଥ ହୋଇପଡିଛନ୍ତି ।
ପରିବାରର ଦୁଇଜଣଙ୍କ ଏଭଳି ଅବସ୍ଥା ଦେଖିବା ପରେ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି ଘରଲୋକ । ଜିତନଙ୍କ ମୃତ୍ୟୁ ପରେ ତାଙ୍କ ଭାଇଙ୍କ ଏଭଳି ଅବସ୍ଥା ପରିବାର ଲୋକଙ୍କୁ ଭାଙ୍ଗିଦେଇଛି । ତେବେ ସେମାନେ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଏବଂ ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।