ବାଲେଶ୍ୱର ( ଏଟିଆର ବ୍ୟୁରୋ): ଦିନକୁ ଦିନ ବାଲେଶ୍ୱର ଅଞ୍ଚଳରେ ନିଶା କାରବାର ବଢିବାର ଲାଗିଛି । ଅବକାରୀ ବିଭାଗର ବାରମ୍ବାର ଚଢାଉ ପରେ ମଧ୍ୟ ବିକ୍ରେତା ଚେତିବାର ନାଁ ନେଉନାହାନ୍ତି । ବିଶେଷ କରି ଦେଶି ମଦ ବେପାରୀ ଏବେ ସୋର, ନୀଳଗିରି ଓ ସିମୁଳିଆ ଅଞ୍ଚଳରେ ସକ୍ର୍ରିୟ ହୋଇ ଉଠିଛନ୍ତି । ନିର୍ବାଚନ ବେଳେ ନିଶା କାରବାର ଟିକେ ଶାନ୍ତ ପଡିଥିବା ବେଳେ ପୁଣି ଏମାନେ ଏବେ ବ୍ୟବସାୟ ବିସ୍ତାର କରିଛନ୍ତି । ଗତକାଲି ବାଲେଶ୍ୱରର ଅବକାରୀ ଅଧିକ୍ଷକ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ସୋର ଏବଂ ସିମୁଳିଆ ଥାନା ଅଞ୍ଚଳରେ ଚଢାଉ କରିଥିଲେ ।
ଚଢାଉ ବେଳେ ବିଭାଗ ବିପୁଳ ପରିମାଣରେ ବିଦେଶି ନକଲି ମଦ ଜବତ କରିଛି । ବରଦା ଗ୍ରାମ ଜଗନ୍ନାଥ ପ୍ରଧାନଙ୍କ ଠାରୁ ୩୦ ଲିଟର ନକଲି ବିଦେଶି ମଦ ଜବତ ହୋଇଥିବା ବେଳେ ସୋର ଡିପ ସାହି ହିରାମଣ୍ଡଳଙ୍କ ଠାରୁ ୧୦ ଲିଟର ,ମଦନ ମଣ୍ଡଳଙ୍କ ଠାରୁ ୧୮ ଲିଟର, ରବିନ୍ଦ୍ର ପାଢୀଙ୍କ ଠାରୁ ୨୩ ଲିଟର ନକଲି ମଦ ଜବତ ହୋଇଛି । ତେବେ ଏମାନଙ୍କୁ ପୋଲିସ ଆରେଷ୍ଟ କରି କୋର୍ଟ ଚାଲାଣ କରିଛି । ଏମାନେ ଦେଶି ମଦକୁ ଭେଜାଲ କରି ବିଦେଶି ମଦ କହି ବେପାର କରୁଛନ୍ତିି।
ଚଢାଉ ଟିମରେ ସାମିଲ ଥିଲେ ବାଲେଶ୍ୱର ମୋବାଇଲ ସ୍କ୍ୱାଡ, ନୀଳଗିରି ଅବକାରୀ ଅଧିକାରୀ , ସୋର ଅବକାରୀ ଅଧିକାରୀ ପ୍ରମୁଖ ମଳିତ ସହଯୋଗରେ ଏହି ଚଢାଉ କରାଯାଇଥିଲା ।