କେନ୍ଦୁଝର (ଏଟିଆର ବ୍ୟୁରୋ); ସମ୍ପର୍କ ଦେଖିଲାନି ଭାଇ । ସାମାନ୍ୟ ଗଛ ପାଇଁ ଭାଇକୁ ମାରିଲା ଭାଇ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ମହୁଲଡିହି ଗାଁର ମାରାଣ୍ଡି ସାହିରେ । ମୃତକ ହେଲେ ଜିତେନ ହୋ । ଅଭିଯୁକ୍ତ ସାନଭାଇ ହେଲା ସମରା ହୋ । ବଡଭାଇକୁ ମାରିବା ପରେ ସମରା ଫେରାର ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଭାଇକୁ ମାରିବା ପରେ ଭାଉଜ ଏବଂ ପୁତୁରାକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଉଭୟ ମା ଏବଂ ପୁଅ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ପୋଲିସ ରିପୋର୍ଟ ମୁତାବକ ଗତକାଲି ରାତିରେ ଏକ ମହୁଲ ଗଛକୁ କେନ୍ଦ୍ରକରି ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ଏହି ଝଗଡା ଉଗ୍ରରୂପ ନେଇଥିଲା । ଏବଂ ସମରାଙ୍କ ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ଘରେ ପଡିଥିବା ଏକ କାଠ ଫାଳିଆରେ ବଡ ଭାଇଙ୍କୁ ଆକ୍ରମଣ କରିଥିଲା । ଜିତେନଙ୍କୁ ଆକ୍ରମଣ କରୁଥିବା ଦେଖିବା ପରେ ତାଙ୍କ ପୁଅ ଏବଂ ସ୍ତ୍ରୀ ରକ୍ଷା କରିବା ପାଇଁ ଧାଇଁ ଆସିଥିଲେ । ତେବେ ସେମାନେ ମଧ୍ୟ ବାଦ ପଡିନଥିଲେ ସମରାଙ୍କ ଆକ୍ରୋଶରୁ ।
ସମରାଙ୍କ କାଠ ଫାଳିଆ ମାଡରେ ଜିତେନଙ୍କ ପ୍ରାଣ ଚାଲିଯାଇଥିଲା । ଗାଁଲୋକ ଜିତେନଙ୍କ ସ୍ତ୍ରୀ ଏବଂ ୧୦ ବର୍ଷର ପୁଅକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସେମାନେ ପୋଲିସରେ ଏତଲା ଦେଇଛନ୍ତି । ପୋଲିସର ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ସମରା ଫେରାର ହୋଇଯାଇଛି ।