ବାଲେଶ୍ୱର (ଏଟିଆର ବ୍ୟୁରୋ); ଭୁବନେଶ୍ୱର ନୟାଗଡ ପରେ ଏବେ ବାଲେଶ୍ୱରରେ ସାମ୍ବାଦିକଙ୍କ ଉପରେ ହୋଇଛି ଆକ୍ରମଣ । ସ୍ଥାନୀୟ ନିଳଗିରିରେ ଏକ ନିଦ୍ଧିଷ୍ଟ ବୈଦୁତିକ ଗଣମାଧ୍ୟମରେ କାମ କରୁଥିବା ଜଣେ ସାମ୍ବାଦିକଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ତେବେ ଅଳ୍ପକେ ତାଙ୍କ ଜୀବନ ବଞ୍ଚିଯାଇଥିବା ଦେଖିବାକୁ ମିଳିଛି । କାଠ ମାଫିଆମାନେ ତାଙ୍କୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ହେଲେ ପ୍ରଫୁଲ୍ଲ କୁମାର ମାଝୀ । ଗରଡି ଛକ ନିକଟରେ କାଠ ମାଫିଆମାନେ ତାଙ୍କ ଉପରେ ଆକ୍ରମଣ କରିଥିବା ସେ ଅଭିଯୋଗ କରିଛନ୍ତି । ତେବେ ପ୍ରଫୁଲ୍ଲଙ୍କୁ ଚିକିତ୍ସା ନିମନ୍ତେ ନିଳଗିରି ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, କୂଳଡିହା ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆଙ୍କ ଦବଦବା ଚାଲିଥିଲା । ମନଇଛା ସେମାନେ ଚୋରା କାଠ ବେପାର କରୁଥିଲେ । ତେବେ ଏହି ଖବର ଟେଲିଭିଜନରେ ପ୍ରସାରଣ ହୋଇଥିଲା । ଯାହାକି ପ୍ରଫୁଲ୍ଲଙ୍କ ରିପୋର୍ଟ ଥିଲା । ଏଣୁ କାଠ ମାଫିଆମାନେ ତାଙ୍କ ଉପରେ ରାଗ ରଖିଥିଲେ । ଘରକୁ ଫେରୁଥିବା ବେଳେ ଏକୁଟିଆ ପାଇଁ ତାଙ୍କ ଉପରକୁ ଆକ୍ରମଣ ହୋଇଥିବା ସେ ଅଭିଯୋଗ କରିଛନ୍ତି ।
ସତ୍ୟ ଏବଂ ନିରପେକ୍ଷ ଭାବରେ ସାମ୍ବାଦିକ କରିବା ଆଜିକା ସମାଜରେ ମହଙ୍ଗା ପଡୁଛି । ସତକୁ ସାମନାକୁ ଆଣି ଭଦ୍ରମୁଖା ପିନ୍ଧା ଅସଭ୍ୟଙ୍କ ଗୁମର ଖୋଲୁଥିବା ସାମ୍ବାଦିକ ସବୁବେଳେ ଆକ୍ରମଣର ଶିକାର ହୋଇଥାଏ । ସବୁବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଥିବା ଖବର ପ୍ରସାରଣ ହେଉଥିଲେ ସୁଦ୍ଧା ଏହା କମିବାର ନାଁ ଧରୁନି । କେତେବେଳେ ଭଦ୍ରମୁଖା ପିନ୍ଧା ଅଭଦ୍ର ନେତାଙ୍କ ଅସଲ ଚେହେରା ପଦାରେ ପକାଇବାକୁ ଯାଇ ସାମ୍ବାଦିକ ମାଡ ଖାଉଛି ତ ଆଉ କେତେବେଳେ ସରକାରୀ ବାବୁଙ୍କ ଲାଞ୍ଚ କାରବାର ସମ୍ପର୍କରେ ସୂଚନା ପାଇବା ପରେ ଖବର ପ୍ରସାରଣ କରୁଥିବା ସାମ୍ବାଦିକମାନେ ଆକ୍ରମଣର ଶିକାର ହୋଇଥାନ୍ତି । ତେବେ ପ୍ରଶ୍ନ ଉଠୁଛି ଖବର ସଂଗ୍ରହ କରିବା କଣ ଭୁଲ? ନାଁ ସତ୍ୟକୁ ସାମନା କରି ନିଜ ଜୀବନକୁ ପାଣି ଛଡାଉଥିବା ସାମ୍ବାଦିକ ଭୁଲ?