ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟ ସରକାରଙ୍କ ବିଜୁ ଯୁବ ବାହିନୀର ଏବେ ଧଜିଆ ଉଡାଉଛନ୍ତି ଲୋକ । ସୋସିଆଲ ମିଡିଆରେ ମନଇଛା ଗାଳି କରିବା ସହିତ ମଜାକ ଉଡାଉଥିବା ଦେଖିବାକୁ ମିଳୁଛି । ରାଜ୍ୟରେ ‘ଫୋନି’ ବହୁତ କ୍ଷତି କରି ଚାଲିଗଲା । ରାଜ୍ୟ ବାହାରରୁ ବହୁ ଶ୍ରମିକ ଆସି ଖରାରେ କାମ କରୁଥିବା ବେଳେ ଯୁବ ବାହିନୀର ଦେଖାନଥିବାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଚର୍ଚ୍ଚା । ନିର୍ବାଚନ ପୂର୍ବରୁ ମାଲ ପକାଇ ନାଚ ଗୀତ କରାଉଥିବା ଯୁବ ବାହିନୀ ଗଲେ ଗୁଆଡେ? କେହି କେହି କମେଣ୍ଟରେ ଲେଖୁଛନ୍ତି କି ବାତ୍ୟା ସେମାନଙ୍କୁ ଉଡାଇ ନେଇଛି ।
ଯୁବ ବାହିନୀ ଗଠନ ହେବା ଦିନଠାରୁ ବିରୋଧୀମାନେ ଏହାକୁ ବିରୋଧ କରିଆସିଛନ୍ତି । ଏମିତିକି ବିରୋଧୀମାନେ ବିଜୁ ଯୁବ ବାହିନୀକୁ ଗୁଣ୍ଡା ବାହିନୀ ନାମରେ ଡାକୁଛନ୍ତି । ରାଜ୍ୟ ରାଜକୋଷରୁ ଏହି ଯୁବ ବାହିନୀ ପାଇଁ କୋଟି କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାଜ୍ୟରେ ଗଛ ଲଗାଇବା ଏବଂ ସହଯୋଗ କରିବା ପାଇଁ ଏହି ଯୋଜନା ହୋଇଥିଲା । ତେବେ ଗଠନ ହେବା ପରେ ଗଛ ଲଗାଇ ଫେସବୁକରେ ବାହାଦୁରୀ ମାରିଥିଲେ ସଦସ୍ୟ । କିନ୍ତୁ ଏବେ ଯେତେବେଳେ ବାତ୍ୟାରେ ଗଛ ପଡିଯାଇଛି ଉଠାଇବା ପାଇଁ ଯୁବ ବାହିନୀ ନପହଁଞ୍ଚିବା ଏବଂ ସରକାର ସେମାନଙ୍କୁ କିଛି ଆଦେଶ ନଦେବାକୁ ନେଇ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ତୁମ୍ବି ତୋଫାନ ।
ତିନିମାସ ତଳେ ସୋସିଆଲ ମିଡିଆରେ ଛାଇ ଯାଉଥିବା ଯୁବ ବାହିନୀ ବିପଦ ସମୟରେ ଲୋକଙ୍କ ପାଖରେ ନପହଁଞ୍ଚିବା ଅତିନିନ୍ଦନୀୟ । ଏଣୁ ସୋମିଆଲ ମିଡିଆରେ ଲୋକ କମେଣ୍ଟ କରି ନାକେଦମ କରିଦେଲେଣି । ୨୦୧୮ ମାର୍ଚ୍ଚ ୧୪ରେ ଗଠନ କରାଯାଇଥିବା ଏହି ଯୁବ ବାହିନୀ ପ୍ରଥମରୁ କାମ କରନ୍ତୁ କି ନକରନ୍ତୁ ଫଟୋ ଛାଡି ସୋସିଆଲ ମିଡିଆରେ ବାହାଦୁରୀ ନେବାରେ ଏକ ନମ୍ବର ଥିଲା ବୋଲି ଚର୍ଚ୍ଚା ହେଉଛି । ତେବେ ଏହି ଯୋଜନା ପାଇଁ ୪୫୦ କୋଟି ୪୯ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିଲା । ଯୁବ ବାହିନୀରେ ଥିବା ୨ ଲକ୍ଷ ୫୧ ହଜାର ୬୦୦ ସଦସ୍ୟଙ୍କୁ ଜିଓ ଫୋନ ମଧ୍ୟ ଯୋଗାଇ ଦିଆଯାଇଛି । ତେବେ ବିପଦ ସମୟରେ କାମରେ ଆସିନଥିବାରୁ ଲୋକଙ୍କ ଆକ୍ରୋଶ ଶିକାର ହୋଇଛି ଯୁବ ବାହିନୀ ।