ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଉ ମାତ୍ର ତିନି ଦିନ ପରେ ପ୍ରକାଶ ପାଇବ ନିର୍ବାଚନୀ ଫଳାଫଳ । ତେବେ ଜାତୀୟ ଗଣମାଧ୍ୟମ ଏବଂ ଆଞ୍ଚଳିକ ଗଣମାଧ୍ୟମମାନେ ଏକଜିଟ ପୋଲ କରିଛନ୍ତି । ଏକଜିଟ ପୋଲର ଆକଳନକୁ ନେଇ ଏବେ ଗଣମାଧ୍ୟମରେ ସବୁ ନେତା ଭିନ୍ନ ଭିନ୍ନ ମତଦେବା ଆରମ୍ଭ କରି ଦେଇଛନ୍ତି । କିଏ ଏହାକୁ ବିଶ୍ୱାସ କରୁଛି ତ ଆଉ କିଏ ଏକଜିଟ୍ ପୋଲ ଉପରେ ଭରଷା ରଖୁନାହିଁ । ତେବେ ଏହାରି ଭିତରେ ପିସିସି ସଭାପତି ନିରଞ୍ଜନଙ୍କ ବୟାନ ସମସ୍ତଙ୍କୁ ଆଚମ୍ବିତ କରିଦେଇଛି ।
ଚଳିତ ନିର୍ବାଚନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ । ଗୋଟିଏ କେନ୍ଦୁଝର ଜିଲ୍ଲା ଘଷିପୁରା ଆସନ ହୋଇଥିବା ବେଳେ ଅନ୍ୟଟି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ । ତେବେ ନିରଞ୍ଜନ ଆଜି ଗଣମାଧ୍ୟମକୁ କହିଛନ୍ତି କି ଘଷିପୁରାରେ ନଜିତିଲେ ମଧ୍ୟ ଭଣ୍ଡାରିପୋଖରୀରେ ବିଜୟ ନିଶ୍ଚିନ୍ତ । ନିରଞ୍ଜନଙ୍କ ଏହି ବୟାନରୁ ପ୍ରମାଣିତ ହେଉଛି କି ସେ ଘଷିପୁରା ଆସନ ଉପରେ ଭରଷା ରଖିନାହାଁନ୍ତି ।
ଚଳିତ ବର୍ଷ ନିରଞ୍ଜନ ଚ୍ୟାଲେଞ୍ଜକୁ ଗ୍ରହଣ କରି ଘଷିପୁରାରୁ ନିର୍ବାଚନ ଲଢ଼ିଛନ୍ତି । ପ୍ରଥମରୁ ଯେଉଁ ଦମ୍ଭରେ ମଇଦାନକୁ ଓହ୍ଲାଇଥିଲେ ଏବେ ଆଉ ସେ ମନପ୍ରାଣ ନଥିବା ଦେଖିବାକୁ ମିଳୁଛି । ଫଳାଫଳ ବାହାରିବାକୁ ଆଉ ମାତ୍ର ତିନିଦିନ ଥିବା ବେଳେ ଏଭଳି ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ନିରଞ୍ଜନ କହିଛନ୍ତି କି କଂଗ୍ରେସ ରାଜ୍ୟରେ ୨୦ରୁ ୩୦ଟି ଆସନରେ ବିଜୟ ହେବ ।