ସିଡନି (ଏଟିଆର ବ୍ୟୁରୋ); ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ ମହାକୁମ୍ଭ । ବିଶ୍ୱକପ ପୂର୍ବରୁ କିମ୍ବଦନ୍ତୀ ଖେଳାଳିମାନେ ନିଜ ନିଜର ଭବିଷ୍ୟବାଣୀ କରିଛନ୍ତି । ସମସ୍ତେ ନିଜର ପସନ୍ଦର ଦଳ ବିଜୟ ହେବା ନେଇ ସୂଚନା ଦେଇଛନ୍ତି । ଅପରପକ୍ଷରେ କେତେକ ପୂର୍ବତନ କ୍ରିକେଟର ନିଜ ଦେଶର ଖେଳାଳିଙ୍କୁ ନେଇ ବିଭିନ୍ନ ମତ ମଧ୍ୟ ଦେଇଛନ୍ତି । ତେବେ ଏଥିରୁ ବାଦ ପଡିନାହାଁନ୍ତି ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିଙ୍କି ପଣ୍ଟିଂ ।
ଚଳିତ ବିଶ୍ୱକପ ଇଂଲଣ୍ଡରେ ହେବାକୁ ଥିବାରୁ ଦଳ ପ୍ରଥମ ପସନ୍ଦ ରହିବ ବୋଲି କହିଛନ୍ତି ପଣ୍ଟି । ତେବେ ଭାରତ ଏବଂ ଅଷ୍ଟ୍ରେଲିଆ ବିଶ୍ୱକପରେ ମଧ୍ୟ ଦୁଇ ଦାବିଦାର ଦଳ ରହିବେ । ଉଭୟ ଦଳରେ ବହୁ ପ୍ରତିଭାବାନ ଖେଳାଳି ଅଛନ୍ତି । ସେମାନେ ଭଲ ଫର୍ମରେ ରହିଥିବାରୁ ଏହାର ଫାଇଦା ଦଳକୁ ମିଳିବ ବୋଲି ସେ କହିଛନ୍ତି । ତେବେ ଅଷ୍ଟ୍ରେଲିଆ ଦଳକୁ ନେଇ ପଣ୍ଟିଂ କହିଛନ୍ତି କି ବିଶ୍ୱକପ ପୂର୍ବରୁ ଦଳର ଅବସ୍ଥା ଯାହାଥିଲା ଏବେ ତାହା ସୁଧୁରିଯାଇଛି ।
ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଖେଳାଳିମାନେ ଭଲ ଫର୍ମରେ ନଥିଲେ । ଶେଷ ବର୍ଷ ଦଳ ବହୁତ ପରାଜୟ ମଧ୍ୟ ବରଣ କରିଛି । କିନ୍ତୁ ବିଶ୍ୱକପରେ ଏହାର ବିପରୀତ ଦେଖାଦେବ । ଦୀର୍ଘ ବର୍ଷେ ପାଇଁ ଆନ୍ତର୍ଜାତୀୟ ଦଳରୁ ବାଦ ପଡିଥିବା ୱାର୍ଣ୍ଣର ଏବଂ ସ୍ମିଥ ପୁଣିଥରେ ବିଶ୍ୱକପ ଦଳରେ ସାମିଲ ହୋଇଛନ୍ତି । ଉଭୟ ଦମଦାର ଫର୍ମରେ ମଧ୍ୟ ଅଛନ୍ତି । ନିକଟରେ ଭାରତରେ ଖେଳାଯାଇଥିବା ଆଇପିଏଲରେ ଉଭୟଙ୍କ ଭୂମିକା ଗୁରୁତ୍ୱପୂଣ୍ଣ ରହିଥିଲା । ବୋଲିଂରେ ମଧ୍ୟ ଅଷ୍ଟ୍ରେଲିଆ ଭଲ କରିବ ବୋଲି ପଣ୍ଟିଂ କହିଛନ୍ତି ।