ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଦୌଡରାଣୀ ଦୂତି ଚାନ୍ଦଙ୍କୁ ନେଇ ଦୁଇ ଦିନ ହେବ ଚର୍ଚ୍ଚା ଜୋର ଧରିଛି । ସମଲିଙ୍ଗୀ ବିବାହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଦୂତି । ପରିବାର ଲୋକ ଏହାକୁ ଗ୍ରହଣ କରୁନଥିବା ବେଳେ ଦୂତି ନ୍ଖକ୍ସ ଜୀବନ ସାଥୀଙ୍କ ପାଇଁ କିଛି ବି କରିପାରନ୍ତି ବୋଲି କହିଛନ୍ତି । ସେ କୌଣସି ବି ପରିସ୍ଥିତି କିମ୍ବା ଚାପରେ ନିଜର ମତ ବଦଳାଇପାରିବେ ନାହିଁ ବୋଲି ମଧ୍ୟ ରୋକଠୋକ କହି ଦେଇଛନ୍ତି ।
ରବିବାର ଦୂତି ନିଜ ମନର ସାଥୀଙ୍କ କଥା ଏକ ଜାତୀୟ ଗଣମାଧ୍ୟମ ଆଗରେ କହିଥିଲେ । ଏହାପରଠାରୁ ଦୂତିଙ୍କୁ ନେଇ ଆରମ୍ଭ ହୋଇଥିଲା ବିଭିନ୍ନ ସମାଲୋଚନା । କେତେକ ବୁଦ୍ଧିଜୀବୀ ଦୂତିଙ୍କୁ ସମର୍ଥନ କରିଥିବା ବେଳେ ଆଉ କେହି କେହି ଏହି ସମ୍ପର୍କକୁ ନେଇ ନାକ ଟେକିଥିଲେ । ଦୂତିଙ୍କ ପରିବାର ଲୋକ ଏହାକୁ ଦୃଢ଼ ଭାବରେ ବିରୋଧ କରିଥିଲେ । ସେମାନେ ଏହାକୁ ଏକ ଚକ୍ରାନ୍ତ ବୋଲି ମଧ୍ୟ କହିଥିଲେ ।
ଦୂତିଙ୍କ ବଡ ଭଉଣୀ ସରସ୍ୱତୀ କହିଛନ୍ତି କି ଦୂତିକୁ ଫସାଇ ଦିଆଯାଇଛି । ଏମିତିକି ସେ କିସ ଏବଂ କିଟକୁ ମଧ୍ୟ ଦାୟୀ କରିଥିଲେ । ଦୂତିଙ୍କ ଧନ ଜୀବନ ବିପଦରେ ରହିଛି । ତା କ୍ୟାରିୟର ପ୍ରତି ମଧ୍ୟ ବିପଦ ରହିଥିବା କହିଥିଲେ ସରସ୍ୱତୀ । ତେବେ ବଡ ଭଉଣୀଙ୍କ ଏହି ସମାଲୋଚନା ପରେ ଦୂତି କହିଛନ୍ତି କି ମୋ ଭଉଣୀ ଏହି ସମ୍ପର୍କକୁ ସହି ପାରୁନି ।
ଏମିତିକି ସେ ଧମକ ଦେଇଛି କି ଘରକୁ ନଆସିବା ପାଇଁ । ମୋ ବଡ ଭାଇଙ୍କ ସ୍ତ୍ରୀକୁ ସେ ପସନ୍ଦ କରୁନାହିଁ । ଏଣୁ ସାଙ୍ଗ ସହ ଯେଭଳି ବ୍ୟବହାର କରୁଛି ମୋ ସହ ମଧ୍ୟ ସେଭଳି ବ୍ୟବହାର ଆରମ୍ଭ କରି ଦେଲାଣି । ତେବେ ଦୂତି କହିଛନ୍ତି କି ଯାହାବି ହେଉ ସେ ତାଙ୍କ ମନର କଥା କହିଛନ୍ତି । କୌଣସି ବି ପରିସ୍ଥିତିରେ ସେ ନିଜର ମତ ବଦଳାଇ ପାରିବେ ନାହିଁ । ସୂଚନାଯୋଗ୍ୟ,ସୋସିଆଲ ମିଡିଆରେ ଜନ ସାଧାରଣ ଦୂତିଙ୍କୁ ବହୁ କଡା ଭାଷାରେ କମେଣ୍ଟ ମଧ୍ୟ ଦେଉଛନ୍ତି ।