ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଉ ମାତ୍ର ଦୁଇଦିନ ପରେ ପ୍ରକାଶ ପାଇବ ନିର୍ବାଚନ ଫଳାଫଳ । ତେବେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଞ୍ଚିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ସିଇଓ । ଚଳିତ ବର୍ଷ ଭୋଟ ଗଣତିରେ ପୂର୍ବ ବର୍ଷ ଅପେକ୍ଷା ବ୍ୟାପକ ପରିବର୍ତ୍ତନ କରାଯାଇଛି । ୧୪୬ ବିଧାନ ସଭା ଏବଂ ୨୧ ଲୋକସଭା ପାଇଁ ୨୩ ତାରିଖ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ ଗଣତି ।
ପୂର୍ବାପେକ୍ଷା ୪୧୧ଟି ଟେବୁଲ୍ ବୃଦ୍ଧି କରାଯାଇଛି । ମୋଟ୍ ଉପରେ ୨ହଜାର ୪ଶହ ୬୨ ଟେବୁଲ୍ରେ ଭୋଟ୍ ଗଣତି ହେବ । ବିଧାନସଭା ଓ ଲୋକସଭା ପାଇଁ ପ୍ରତି ହଲ୍ରେ ୭ଟି ଲେଖାଏଁ ଟେବୁଲ ରହିବ । ଚଳିତଥର ଏକ ଲକ୍ଷ ପୋଷ୍ଟାଲ୍ ବାଲେଟ୍ ମିଳିଛି । ୬ ହଜାର ୭ ଜଣ କର୍ମଚାରୀ ଭୋଟ୍ ଗଣତିରେ ନିୟୋଜିତ ହେବେ । ପ୍ରତ୍ୟେକ ଟେବୁଲ୍ରେ ଜଣେ ମାଇକ୍ରୋ ଅବ୍ଜରଭର୍ ରହିବେ ।
ଏଥର ପ୍ରତି ମତଗଣନା ହଲ୍ରେ ୧୦ଟି ଲେଖାଏଁ ଟେବୁଲ୍ ରହିବ ବୋଲି ସ୍ଥିର କରାଯାଇଛି, ପୂର୍ବରୁ ୭ ଟି ଲେଖାଏଁ ଟେବୁଲ ରହୁଥିଲା । ସାରା ରାଜ୍ୟରେ ମୋଟ ୬୩ ଟି ଗଣତି କେନ୍ଦ୍ରରେ ୧୫୨ଟି ହଲ୍ରେ ୨୫୦୦ ଟେବୁଲ ବ୍ୟବସ୍ଥା କରାଯାଇଛି । ପ୍ରତି ଟେବୁଲରେ ୩ ଜଣ ଲେଖାଏଁ ଅଧିକାରୀ ଉପସ୍ଥିତ ରହିବେ । ଏଥର ପ୍ରଥମ ଥର ପାଇଁ ଭିଭିପ୍ୟାଟ୍ର ମଧ୍ୟ ଭୋଟ୍ ଗଣତି ହେବ । ତେଣୁ ଏଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । କିନ୍ତୁ ସର୍ବ ପ୍ରଥମେ ଲକ୍ଷେ ପୋଷ୍ଟାଲ ବାଲାଟର ଗଣତି ହେବ । ଏହାକୁ ରିଟର୍ଣ୍ଣିଂ ଅଫିସରେମାନେ ଗଣତି କରିବେ ।