ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାତି ପାହିଲେ ପ୍ରକାଶ ପାଇବ ଫଳାଫଳ । ରାଜନୈତିକ ବିଷାରଦ ମତ ଏବଂ ଏକଜିଟ ପୋଲ ଫଳାଫଳ ପ୍ରକାଶ ପାଇ ସାରିଛି । କିନ୍ତୁ ଏହାକୁ କେତେକ ନେତା ବିଶ୍ୱାସ କରୁନାହାଁନ୍ତି । ହେବିୱେଟ ନେତାମାନେ ଏକଜିଟ ପୋଲକୁ ନେଇ ଭିନ୍ନ ଭିନ୍ନ ମତ ଦେବା ଆରମ୍ଭ କରି ଦେଇଛନ୍ତି । ତେବେ ଫଳାଫଳ ପ୍ରକାଶ ପାଇବା ଆଗରୁ ଗଣମାଧ୍ୟମକୁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦେଇଛନ୍ତି ବଡ ବୟାନ । ସେ କହିଛନ୍ତି ଓଡିଶାରେ ବିଜେପିର ଉନ୍ନତି ହୋଇଛି ।
ଗତଥର ଓଡିଶାରେ ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡି ୨୦ଟି ଅକ୍ତିଆର କରିଥିବା ବେଳେ ବିଜେପି ଖାତାକୁ ମାତ୍ର ଗୋଟିଏ ଯାଇଥିଲା । କିନ୍ତୁ ଏଥର ବହୁତ କିଛି ପରିବର୍ତ୍ତନ ହେବ । ଦଳର ୧୦ଟି ଲୋକସଭା ଆସନରେ ବାଜି ମାରିପାରେ ବୋଲି ଏକଜିଟ ପୋଲ କହୁଛି । ତେବେ ବୈଜୟନ୍ତ ପଣ୍ଡା ଏହାକୁ ଦୋହରାଇଛନ୍ତି । ବିଧାନସଭା ଆସନରେ ମଧ୍ୟ ବିଜେପି ବହୁ ଆସନକୁ ହାତେଇବ । ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ବୈଜୟନ୍ତ ।
ସୂଚନାଯୋଗ୍ୟ, ଚଳିତ ବର୍ଷ କେନ୍ଦ୍ରାପଡା ଲୋକସଭା ଆସନରୁ ବୈଜୟନ୍ତ ପ୍ରତିଦ୍ୱନ୍ଦିତା କରିଛନ୍ତି । ପୂର୍ବରୁ ଏହି ଆସନରୁ ସେ ବିଜେଡି ପକ୍ଷରୁ ୨ଥର ବିଜୟ ହୋଇଥିଲେ । ଏଥରକ ପ୍ରଥମଥର ଲାଗି ବିଜେପି ପକ୍ଷରୁ ମଇଦାନକୁ ଓହ୍ଲାଇଛନ୍ତି । ଅଭିନେତାରୁ ରାଜନୀତି ମଇଦାନକୁ ଓହ୍ଳାଇଥିବା ଅନୁଭବଙ୍କ ସହ ତାଙ୍କର କଡା ଟକ୍କର ହୋଇଛି । ଏକଜିଟ ପୋଲ ଫଳାଫଳରେ ବୈଜୟନ୍ତଙ୍କ ବିଜୟ ଆଶା କମ ରହିଥିବା ଦେଖିବାକୁ ମିଳିଥିଲା ।