ଜଗତସିଂହପୁର (ଏଟିଆର ବ୍ୟୁରୋ): ଟିକେଟ ଘୋଷଣା ଦିନ ଠାରୁ ଚର୍ଚ୍ଚାରେ ରହିଥିବା ଜଗତସିଂହପୁର ବିଧାନସଭା ଆସନରେ ଶେଷରେ ବାଜି ମାରିଲେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି । ନିକଟ ପ୍ରତିଦ୍ୱନ୍ଦୀ କଂଗ୍ରେସର ଟାଣୁଆ ନେତାଙ୍କ ଚିରଞ୍ଜିବ ବିଶ୍ୱାଳଙ୍କ ଠାରୁ ୮୭୪୩ ଖଣ୍ଡ ଭୋଟରେ ଆଗୁଆ ରହି ପୁଣି ଜଗତସିଂହପୁରକୁ ତାର ବିଜେଡି ଗଡକୁ ହସ୍ତାନ୍ତର କରିଛନ୍ତି ।
ବିଗତ ୨ ଥର ଜନତା ଦଳ ଏବଂ ୩ ଥର ବିଜେଡିରୁ ବିଷ୍ଣୁ ଦାସ ଏଠାରେ ବିଧାୟକ ହୋଇ ଆସୁଥିବା ବେଳେ ୨୦୧୪ ମସିହାରେ ତାଙ୍କ ବିଜୟ ରଥରେ ବ୍ରେକ ଲଗାଇଥିଲେ ଚିରଞ୍ଜିବ ବିଶ୍ୱାଳ । ଯାହା ଫଳରେ ବିଜେଡିର ଏହି ପୁରୁଣା ଗଡଟି କଂଗ୍ରେସ ଖାତାକୁ ଚାଲିଯାଇଥିଲା । ଏଥର କିନ୍ତୁ ୨୦୧୯ ରେ ଏଠାରେ ବିଜେଡି ଭରଷା କରିଥିବା ପ୍ରଶାନ୍ତ ମୁଦୁଲି ବିଜେଡିର ଏହି ପୁରୁଣା ଗଡକୁ ପୁଣି ବିଜେଡିକୁ ଦେଇଛନ୍ତି । ପ୍ରଶାନ୍ତଙ୍କୁ ସାଥି କରି ଜଗତସିଂହପୁରରେ ବିଜେଡି ପୁଣି ତାର ଦବଦବା ଦେଖାଇଛି ।
ଟିକେଟ ବଣ୍ଟାବେଳେ ଅମରେନ୍ଦ୍ର ଦାସଙ୍କ ଅସନ୍ତୋଷ ଏଠାରେ ପ୍ରଶାନ୍ତଙ୍କ ବିଜୟକୁ ନେଇ ପ୍ରଶ୍ନ ଉଠାଇଥିଲା । ଶୁଣିବାକୁ ମିଳୁଥିଲା ବିଜେଡିର ଏହି ଅନ୍ତଦ୍ୱନ୍ଦରୁ କଂଗ୍ରେସ ମାଇଲେଜ ନେଇଯିବ । ଏମିତି କି ଗଣମାଧ୍ୟମ ପକ୍ଷରୁ ହୋଇଥିବା ଏକଜିଟ ପୋଲ ମଧ୍ୟ କଂଗ୍ରେସ ସପକ୍ଷରେ ଯାଇଥିଲା । ଏସବୁ କିଛିକୁ କିନ୍ତୁ ଆସନ୍ତା କାଲିର ଫଳାଫଳ ଭୁଲ ପ୍ରମାଣିିତ କରିଛି । କଡାଟକ୍କର ପରେ ମଧ୍ୟ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ତାଙ୍କ ନିକଟ ପ୍ରତିଦ୍ୱନ୍ଦୀଙ୍କ ଠାରୁ ଆଠହଜାରରୁ ଅଧିକ ଭୋଟର ବ୍ୟବଧାନରେ ବିଜୟ ହୋଇଛନ୍ତି ।