ନୟାଗଡ (ଏଟିଆର ବ୍ୟୁରୋ); ବିଜେଡିର ଏକ ଅଭେଦ୍ୟ ଗଡ ହେଉଛି ନୟାଗଡ । ଦୀର୍ଘ ୪ଟି ନିର୍ବାଚନରେ ଏଠାରେ ବିଜେଡି ବାଜିମାତ କରି ଆସୁଛି । ଜିଲ୍ଲାର ୪ଟି ଯାକ ଆସନରେ ବିଜେଡି ବହୁମତରେ ପାସ କରି ଆସୁଛି । ସଦ୍ୟ ପ୍ରକାଶ ପାଇଥିବା ନିର୍ବାଚନୀ ଫଳାଫଳ ମଧ୍ୟ ବିଜେଡି ସପକ୍ଷରେ ଯାଇଛି । ଏବଂ ୪ଟି ଯାକ ଆସନରେ ବିଜେଡି ବିଜୟ ହୋଇ ଗଡକୁ ଜଗି ରଖିଛି । ବିରୋଧୀମାନେ ଯେତେ ସକ୍ରୀୟ ହେଲେ ମଧ୍ୟ ଏଠାରେ ବିଜେଡିକୁ ପରାସ୍ତ କରିବା ପାଇଁ ସକ୍ଷମ ହୋଇନାହାଁନ୍ତି ।
ତେବେ ଆସନ୍ତୁ ନଜର ପକାଇବା ଜିଲ୍ଲାର ୪ଟିଯାକ ଆସନ ଉପରେ
ରଣପୁର-ବିଜେଡି ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ(ବାଦଲ) ବିଜୟ ହୋଇଛନ୍ତି । ଏଠାରେ କଂଗ୍ରେସ ଏବଂ ବିଜେପିର ଦୁଇ ହେବିୱେଟ ନେତ୍ରୀ ପ୍ରତିଦ୍ୱନ୍ଦିତା କରିଥିଲେ । କିନ୍ତୁ ବାଦଲଙ୍କୁ ଅଟକାଇବାରେ ସକ୍ଷମ ହୋଇନଥିଲେ । ବିଜେପିର ମହିଳା ନେତ୍ରୀ ସୁରମା ପାଢ଼ୀ ନିର୍ବାଚନକୁ ଓହ୍ଲାଇଥିବା ବେଳେ ମିଲି ପଣ୍ଡା କଂଗ୍ରେସର ସାରଥୀ ହୋଇଥିଲେ ।
ଖଣ୍ଡପଡା-ଆମ ଓଡିଶା ପାର୍ଟିର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ହୋଇ ଜିତିଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସିଦ୍ଧାର୍ଥ ଶେଖରଙ୍କୁ ପରାସ୍ତ କରିଛନ୍ତି । ବଡ ବ୍ୟବଧାନରେ ବିଜୟ ହୋଇଛନ୍ତି ସୌମ୍ୟ ।
ଦଶପଲ୍ଲା-ନୂଆ ପ୍ରାର୍ଥୀ ରମେଶ ବେହେରା ବିଜୟ ହୋଇ ବିଜେଡି ଗଡକୁ ବଞ୍ଚାଇଛନ୍ତି । ସେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପୂର୍ଣ୍ଣଚନ୍ଦ୍ର ନାୟକଙ୍କୁ ପରାସ୍ତ କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ପ୍ରସାନ୍ତ ବେହେରା ତୃତୀୟ ସ୍ଥାନରେ ରହିଥିଲେ ।
ନୟାଗଡ-ଜିଲ୍ଲାର ସବୁଠାରୁ ବଡ ନିର୍ବାଚନ ମଣ୍ଡଳୀ । ଜିଲ୍ଲାର ସବୁଠାରୁ ହେବିୱେଟ ନେତା ଅରୁଣ ସାହୁ ପୁଣିଥରେ ବିଜୟ ହୋଇଛନ୍ତି । ସେ ବିଜେପିର ଇରାନୀ ରାୟଙ୍କୁ ପରାସ୍ତ କରିଛନ୍ତି ।