ନୟାଗଡ (ଏଟିଆର ବ୍ୟୁରୋ); ଗତ ଦୁଇଦିନ ତଳେ ପ୍ରକାଶ ପାଇଛି ନିର୍ବାଚନୀ ଫଳାଫଳ । ରାଜ୍ୟରେ ବିଜେଡିକୁ ମିଳିଛି ଅପୂର୍ବ ସଫଳତା । ତେବେ ନୟାଗଡ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ବିଜୟ ହୋଇଛନ୍ତି । ସେ ତୃତୀୟଥର ଲାଗି ବିଜୟ ହୋଇ ହ୍ୟାଟ୍ରିକ ମାରିଛନ୍ତି । ସେ ବିଜେପି ପ୍ରାର୍ଥୀ ଇରାନୀ ରାୟଙ୍କୁ ପରାସ୍ତ କରି ଏହି ରେକର୍ଡ କରିଛନ୍ତି । ବିଜୟ ପରେ ଲୋକଙ୍କ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।
ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅରୁଣ ସାହୁ । ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି । ଏଣୁ ନୟାଗଡ ନିର୍ବାଚନ ମଣ୍ଡଳୀ ଉପରେ ରହିଥିଲା ସମସ୍ତଙ୍କ ନଜର । କନ୍ଧମାଳ ସାଂସଦ ପ୍ରତ୍ୟୁଷା ବିଜେପିରେ ଯୋଗ ଦେଇ ଇରାନୀଙ୍କ ସହଯୋଗ କରିଥିଲେ । ଉଭୟ ମିଶି ଅରୁଣଙ୍କୁ ହରାଇବା ପାଇଁ ରାଜନୈତିକ ଚକ୍ରବ୍ୟୁହ କରିଥିଲେ । କିନ୍ତୁ ସବୁକୁ ବିଫଳ କରାଇ ଅରୁଣ ଶେଷରେ ବାଜି ମାରିଛନ୍ତି । ଏହି ବିଜୟ ହେଉଛି ତାଙ୍କର ହ୍ୟାଟ୍ରିକ ବିଜୟ ।
ସୂଚନାଯୋଗ୍ୟ,ଛାତ୍ର ରାଜନୀତିରେ ବେଶ ସକ୍ରିୟ ଥିଲେ ଅରୁଣ । ୨୦୦୯ ମସିହାରେ ପ୍ୟାରି ମୋହନଙ୍କ ଅନୁଗତ ଭାବରେ ବିଜେଡି ଟିକେଟରେ ନୟାଗଡ ଆସନରୁ ଲଢ଼ିଥିଲେ । ବିଜୟ ହେବା ପରଠାରୁ ପଛକୁ ଚାହିଁ ନାହାଁନ୍ତି ଅରୁଣ । ଏହାପରେ ଦୁଇଟିଯାକ ନିର୍ବାଚନରେ ସେ ବିପୁଳ ଭୋଟ ପାଇ ବିଜୟ ହୋଇଛନ୍ତି । ରାଜ୍ୟରେ ନବୀନଙ୍କ ଲହରୀରେ ନିଜକୁ ସାମିଲ କରି ବିଜୟର ସ୍ୱାଦ ଚାଖିଛନ୍ତି ଅରୁଣ ।