ଜଗତସିଂପୁର ( ଏଟିଆର ବ୍ୟୁରୋ) : ଜଗତସିଂହପୁର ଜିଲ୍ଲାର ୪ ଟି ବିଧାନସଭା ଆସନରେ ବାଜି ମାରିନେଇଛି ବିଜେଡି । ଜିଲ୍ଲାର ୪ ବିଧାନସଭାରେ ବିଜେଡି ତାର ଦବଦବା ଦେଖାଇଛି । ୨୦୧୪ ରେ ଗୋଟିଏ ବିଧାନସଭା ଆସନ କଂଗ୍ରେସ ଖାତାକୁ ଯାଇଥିବା ବେଳେ ଏଥର କିନ୍ତୁ ଜିଲ୍ଲାରେ କ୍ଲିନସ୍ୱିପ୍ କରିଛି ବିଜେଡି । ଜିଲ୍ଲାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆସନ ଜଗତସିଂହପୁରକୁ ମଧ୍ୟ କଂଗ୍ରେସ ଠାରୁ ଛଡାଇ ନେଇଛିି ଦଳ । ଚଳିତ ଥର ଟିକେଟ ବଣ୍ଟାକୁ ନେଇ ଜଗତସିଂହରେ ଦେଖିବାକୁ ମିଳିଥିଲା ବିଜେଡିରେ ଅସନ୍ତୋଷ । ଯେଉଁଥିରୁ ଅନୁମାନ କରାଯାଉଥିଲା କି ବିଜେଡ ପ୍ରାର୍ଥୀି ପ୍ରଶାନ୍ତକୁ ଏହା ନିର୍ବାଚନରେ ଭାରି ପଡିପାରେ । ମାତ୍ର ତାହା ଏଠାରେ ଭୁଲ ପ୍ରମାଣିତ ହୋଇଛି । କଂଗ୍ରେସର ଟାଣୁଆ ନେତା ଚିରଞ୍ଜିବ ବିଶ୍ୱାଳଙ୍କ ଠାରୁୁ ପ୍ରଶାନ୍ତ ଏଠାରେ ଅଧିକ ୮୭୪୩ ଖଣ୍ଡ ଭୋଟ ପାଇ ବିଜୟ ହୋଇଛନ୍ତି ।
ସେହିଭଳି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳିକୁ ଯଦି ଲକ୍ଷ କରିବା ଏଠାରେ ଏଥର ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହୋଇଛି । ବିଜେଡିର ବରିଷ୍ଠ ନେତା ବିଷ୍ଣୁ ଦାସ ପ୍ରଥମ କରି ଏହି ଆସନରୁ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇଙ୍କୁ ପରାସ୍ତ କରିଛନ୍ତି । ଅସୁସ୍ଥତା କାରଣରୁ ନିର୍ବାଚନ ବେଳେ ବିଷ୍ଣୁ ପ୍ରଚାର ଜୋରଦାର କରି ପାରିନଥିଲେ ମଧ୍ୟ ତିର୍ତ୍ତୋଲବାସୀ ଭରଷା କରିଛନ୍ତି ।
ସେହିଭଳି ବାଲିକୁଦା ଏରସମା ଆସନକୁ ଆଲୋଚନା ପରିସରକୁ ନେଲେ ଏହି ଆସନଟି ଚଳିତ ବର୍ଷ ସବୁଠୁ ଚର୍ଚ୍ଚାରେ ରହିଥିଲା । ଏଥର ଏଠାରେ ଦଳ ଡିଆଁ ଦେଖିବାକୁ ମିଳିଥିଲା । ଏହି ଆସନରେ ରଘୁନନ୍ଦନ ଦାସ ବିଜେପିରୁ ଆସି ବିଜେଡିରେ ମିଶିଥିଲେ । ସେହିଭଳି ବରିଷ୍ଠ ନେତା ଦାମଦୋର ରାଉତ ଏଥର ଏହି ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇଥିଲେ । କଂଗ୍ରେସରୁ ଲଲାଟେନ୍ଦୁ ମହାପାତ୍ର ପ୍ରାର୍ଥୀ ହୋଇଥିଲେ ।
ତେବେ ଏଠାରେ ଦାମ ନିଜର ଦମ୍ ଦେଖାଇ ପାରିନଥିଲେ । ଏଠାରେ ସିଧାସଳଖ ଲଢେଇ ହୋଇଥିଲା କଂଗ୍ରେସ ଓ ବିଜେଡି ମଧ୍ୟରେ । ବିଜେଡି ପ୍ରାର୍ଥୀ ରଘୁନନ୍ଦନ ଦାସ କଂଗ୍ରେସ ପ୍ରାର୍ଥୀଙ୍କୁ ୨୮,୩୪୧ ଭୋଟ ବ୍ୟବଧାନରେ ହରାଇଛନ୍ତି । ଅନ୍ୟପଟେ ପାରାଦୀପରେ ମଧ୍ୟ କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ବିଜେଡି ପ୍ରାର୍ଥୀ ଦାମ ରାଉତଙ୍କ ପୁଅ ସମ୍ବିତ ରାଉତରାୟ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲଙ୍କୁ ୨୦,୮୦୨ଭୋଟ ରେ ପରାସ୍ତ କରିଛନ୍ତି ।
ସେହିଭଳି ଜଗତସିଂହପୁର ଲୋକସଭା ଆସନ ମଧ୍ୟ ବିଜେଡି ଦଖଲ କରିଛି । ଲକ୍ଷେରୁ ଅଧିକ ଭୋଟରେ ଏଠାରେ ବିଜେପି ପ୍ରାର୍ଥୀ ବିଭୂପ୍ରସାଦ ତରାଇଙ୍କୁ ରାଜଶ୍ରୀ ମଲ୍ଲିକ ପରାସ୍ତ କରିଛନ୍ତି ।