ଭୁବନେଶ୍ୱର (ଏଟଆର ବ୍ୟୁରୋ); ଆଜି ବସିବ ବିଜେଡିର ବିଧାୟକ ଦଳ ବୈଠକ । ଏଥିରେ ନବନିର୍ବାଚିତ ୧୧୨ ବିଧାୟକ ଉପସ୍ଥିତ ରହିବେ । ଆଜି ବୈଠକ ବିଜେଡିର ଆସନ୍ତା ପାଞ୍ଚ ବର୍ଷ ପାଇଁ ନିଷ୍ପତି ନେଇପାରେ । ଏହି ବୈଠକରେ ନେତା ଚୟନ କରାଯିବ । ମଧ୍ୟାହ୍ଣରେ ଏହି ବୈଠକ ବସିବାକୁ ଥିବାବେଳେ ସରକାର ଗଠନ ଓ ମନ୍ତ୍ରିମଣ୍ଡଳ ଶପଥପାଠ ନେଇ ମଧ୍ୟ ସମୟ ଓ ତାରିଖ ଧାର୍ୟ୍ୟ ହୋଇପାରେ ।
ଆସନ୍ତା ୨୯ ତାରିଖରେ ପଞ୍ଚମଥର ଲାଗି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନବୀନ । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଏହି ଶପଥ ଗ୍ରହଣ ପର୍ବ ଅନୁଷ୍ଠିତ ହେବାକୁ ଯାଉଛି । ଏବେଠାରୁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇସାରିଲାଣି । ତେବେ କେଉଁମାନେ ମନ୍ତ୍ରୀ ହେବେ ତାକୁ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । କାହାକୁ ମିଳିବ କ୍ୟାବିନେଟ୍ ପାହ୍ୟା, କାହାକୁ ମିଳିବ ରାଷ୍ଟ୍ରମନ୍ତ୍ରୀ ପଦ ଏ ନେଇ ଚର୍ଚ୍ଚା ଜୋରଧରିଥିବା ବେଳେ ଏବେ ମାଳ ମାଳ ନେତାଙ୍କ ଆଖି ମନ୍ତ୍ରୀପଦ ଉପରେ । ଏନେଇ ନବୀନ ନିବାସରେ ଜୋରଦାର ଲବି ଆରମ୍ଭ କରି ଦେଇଛନ୍ତି ନବନିର୍ବାଚିତ ବିଜେଡି ବିଧାୟକ । ନବୀନ ନିବାସରେ ହେଭିୱେଟ୍ ନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀପଦ ପାଇଁ ଆଶାୟୀ ନେତାଙ୍କ ଭିଡ଼ ଦେଖିବାକୁ ମିଳିଛି ।
ମୁଖ୍ୟମନ୍ତ୍ରୀ ଚଳିତ ସରକାରରେ ମହିଳାଙ୍କୁ ପ୍ରାଧାନ୍ୟ ଦେବେ ବୋଲି ଚର୍ଚ୍ଚା ହେଉଛି । ରାଜ୍ୟସଭା ଏବଂ ବିଧାନସଭା ୩୩ ଶତକଡା ସଂରକ୍ଷଣ ଆସନ ଦେଇଥିଲେ । ଏଣୁ ମହିଳାଙ୍କ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ଏହି ସଂରକ୍ଷଣ ମିଳିପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ୪ଜଣ ମହିଳା ମନ୍ତ୍ରୀ ହୋଇପାରନ୍ତି । ଏହି ୪ଜଣ ବିଧାୟକ ମଧ୍ୟରେ ଆଗରେ ଅଛନ୍ତି ସେହ୍ନାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ଲତିକା ପ୍ରଧାନ, ପ୍ରମିଳା ମଲ୍ଲିକ ମନ୍ତ୍ରୀ ।