ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାର ପ୍ରଥମ ମହିଳା ପର୍ବତ ଆରୋହଣକାରୀ କଳ୍ପନା ଦାସଙ୍କ ମୃତ ଦେହ ଆଣିବାକୁ କାଠମାଣ୍ଡୁ ଆଜି ତିନି ଜଣିଆ ଟିମ ଗସ୍ତ କରିଛନ୍ତି । କାଠମାଣ୍ଡୁ ଗସ୍ତ କରିଥିବା ଏହି ଟିମ୍ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାସ ଏବଂ ଆଉଜଣେ ସଂମ୍ପର୍କୀୟଙ୍କ ସମେତ ପର୍ବତ ଆରୋହଣକାରୀ ଗଣେଶ ଜେନା ସାମିଲ ଅଛନ୍ତି । କଳ୍ପନାଙ୍କ ମରଶରୀରକୁ ଓଡିଶା ଫେରାଇ ଆଣିବା ପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।
ଏନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରି କିଭଳି କଳ୍ପନାଙ୍କ ମର ଶରୀର ଓଡିଶା ଆସିବ ସେ ନେଇ କଥା ହୋଇଛନ୍ତି । ସୂଚନାଯୋଗ୍ୟ ରାଜ୍ୟର ସର୍ବପ୍ରଥମ ଏଭରେଷ୍ଟ ଆରୋହୀ କଳ୍ପନା ଦାସ ଦ୍ୱିତୀୟ ଥର ପାଇଁ ଏଭରେଷ୍ଟ ଚଢିବା ବେଳେ ଗତ ୨୪ ତାରିଖରେ ଏଭରେଷ୍ଟ ଶିଖରରେ ତାଙ୍କର ମୃତ୍ୟୁ ହୋଇଥିଲା । କଳ୍ପନା ଏଥର ଭାରତୀୟ ଭାବେ ଶାଢୀ ପିନ୍ଧି ଏଭରେଷ୍ଟ ଚଢି ନୂଆ କିର୍ତ୍ତୀ ସ୍ଥାପନା କରିଥିଲେ ।
ପାଗ ଖରାପ ଯୋଗୁ ଉଦ୍ଧାର କାର୍ଯ୍ୟ ଡେରି ହେଉଛି । ଆଜି ପାଗ ଭଲ ରହିଲେ ମର ଶରୀର ଉଦ୍ଧାର ହେବ ବୋଲି ଜଣାପଡିଛି । ତେବେ ନେପାଳର ୧୦ଜଣ ଶେରପା ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଉଦ୍ଧାର କରିବା ଲାଗି ଚେଷ୍ଟା କରୁଛନ୍ତି । ୨୮ ତାରିଖରେ ଅର୍ଥାତ ମଙ୍ଗଳବାର ହେଲିକପ୍ଟରରେ କାଠମାଣ୍ଡୁ ଅଣାଯିବ ବୋଲି ଜଣାପଡିଛି । କଳ୍ପନାଙ୍କ ମୃତଦେହ ଅଣାଯିବା ପରେ ପୋଷ୍ଟମର୍ଟମ କରାଯିବା ପରେ କଳ୍ପନାଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।