ପୁରୀ (ଏଟିଆର ବ୍ୟୁରୋ); ଚୋରଙ୍କଠାରୁ ବଳି ଯାଉଛନ୍ତି ପୋଲିସ । ତେବେ ଅପରାଧୀଙ୍କୁ ଶାସ୍ତି ଦେବାରେ ନୁହେଁ,ବରଂ ଅପରାଧୀକୁ ସୁରକ୍ଷିତ ଦେଇ ପକେଟ ଗରମ କରିବାରେ । ଟଙ୍କା ପାଇଁ ପୋଷାକର ମର୍ଯ୍ୟାଦା ହରାଉଛନ୍ତି କେତେକ ପୋଲିସ ବାବୁ । ପୂର୍ବରୁ ଏଭଳି ପୋଲିସ ବାବୁଙ୍କ ଗୁମର ଖୋଲିଛି ଏଟିଆର ନ୍ୟୁଜ । ଏବେ ପୁଣିଜଣେ ଥାନା ଅଧିକାରୀ ଲାଞ୍ଚ ନେଉଥିବା ଖବର ଆସିଛି । ମାମଲା ଦଫାରଫା କରିବା ପାଇଁ ପୋଲିସ ବାବୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଯାଇଛନ୍ତି ।
ରିପୋର୍ଟ ମୁତାବକ ଗୋପ ଥାନା ଅଧିକାରୀ ସୌମ୍ୟଜିତ ମିଶ୍ର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ମାତ୍ର ତିନି ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରା ପଡିଥିଲେ । ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ ଲାଞ୍ଚ ଟଙ୍କାକୁ ଜବତ କରିଛନ୍ତି । ପୋଲିସର ଏଭଳି କୁତ୍ସିତ କାମ ପାଇଁ ଜନସାଧାରଣ ନିନ୍ଦା କରୁଛନ୍ତି । ପୁରୀ ଜିଲ୍ଲା ନୂଆଖୋଲମରାର ଓଡତଙ୍ଗା ଗାଁରେ ବିବାହ ଉତ୍ସବ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଘଟଣା ଥାନାକୁ ଯିବା ପରେ ସୌମ୍ୟଜିତ ଗୋଟିଏ ଗୋଷ୍ଠୀଠାରୁ ତିନ ଜହାର ଟଙ୍କା ଲାଞ୍ଚ ମାଗିଥିଲେ ।
ମାମଲା ଦଫାରଫା କରିବା ପାଇଁ ଲାଞ୍ଚ ମାଗିବା ଘଟଣା ଭିଜିଲାନ୍ସ ଅଧିକାରୀ ଜାଣିବା ପରେ ସେମାନେ ସାଦା ପୋଷାକରେ ଆସି ଲାଞ୍ଚ ଦେବା ସମୟରେ ସୌମ୍ୟଜିତଙ୍କୁ ଗିରଫ କରିଥିଲେ । ତେବେ ମାତ୍ର ତିନି ହଜାର ଟଙ୍କା ପାଇଁ ଲାଞ୍ଚ ନେବାକୁ ଯାଇ ନାମ ନେଲେ ପୋଲିସ ଅଧିକାରୀ । ଯାହାକୁ ନେଇ ଏବେ ସାରା ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୂଚନାଯୋଗ୍ୟ,ପୂର୍ବରୁ ବହୁ ଦୁର୍ନିତୀ ଗ୍ରସ୍ତ ପୋଲିସ କର୍ମଚାରୀ ଏବଂ ମଦୁଆ ପୋଲିସଙ୍କ ଅସଲ ମୁଖା ଖୋଲିଛି ଏଟିଆର ।