କୋଲକାତା ( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ମଧ୍ୟରେ ଲାଗିରହିଥିବା ବିବାଦ ଥମିବାର ନାମ ନେଉନି । ଏକ ଭିଡିଓରେ କିଛି ଯୁବକ ଜୟ ଶ୍ରୀରାମ କହୁଥିବା ବେଳେ ମମତା ତାଙ୍କ ଉପରେ ଚିଇଁକି ଉଠିଥିଲେ । ଏମିତିକି ଜୟ ଶ୍ରୀରାମ କହିଲେ ପିଠିର ଛାଲ ଉତାରି ଦେବେ ବୋଲି ମଧ୍ୟ କହିଥିଲେ । ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଯାହାକୁ ନେଇ ଏବେ ବିବାଦ ତେଜିବାର ଲାଗିଛି ।
ଏନେଇ ମମତାଙ୍କୁ ବିଜେପିର ବହୁ ବରିଷ୍ଠ ନେତା ସମାଲୋଚନା କରୁଛନ୍ତି । ଏମିତିକି ବିଜେପି ପକ୍ଷରୁ ମମତାଙ୍କୁ ୧୦ ଲକ୍ଷ ଜୟ ଶ୍ରୀରାମ ଲେଖାଥିବା ପୋଷ୍ଟ କାର୍ଡ ପଠାଇବା ପାଇଁ ନିଷ୍ପତି ହୋଇଛି । ତେବେ ଏହାକୁ ନେଇ କ୍ୟାବିନେଟ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂ ମୁହଁ ଖୋଲିଛନ୍ତି । ସେ ମମତା ବାନାର୍ଜୀଙ୍କୁ ଓସାମା ବିନ୍ ଲାଡେନ ସହିତ ତୁଳନା କରିଛନ୍ତି ।
ଯାହାଙ୍କର ମାନସିକତା ଓସାମା ବିନ ଲାଡେନଙ୍କ ସହିତ ସମାନ ତାଙ୍କୁ ଜୟ ଶ୍ରୀରାମ କେମିତି ଭଲ ଲାଗିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଦେଶ ବଦଳିବା ସହିତ ମମତା ବଦଳି ଯାଆନ୍ତୁ । ତାଙ୍କ ଭିତରେ ଯେଉଁ ମମତା ରହିଛି ସେଥିରେ ଜୟ ଶ୍ରୀରାମ ହିଁ ଆଗରେ ରହିଛନ୍ତି । ନ ହେଲେ ତାଙ୍କ ଭିତରେ ଥିବା ଓସାମା ତାଙ୍କୁ ମମତା ହେବାକୁ ଦେବ ନାହିଁ ବୋଲି ସେ କହିଛନ୍ତି ।