ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫଳ ମାନଙ୍କ ମଧ୍ୟରେ ରାଜା ହେଉଛି ଆମ୍ବ । ଏହି ଫଳକୁ ଖାଇବା ପାଇଁ ଲୋକେ ଖୁବ୍ ପସନ୍ଦ କରିଥାନ୍ତି । ଭିଟାମିନ୍ ଏ, କପର୍, ଆୟରନ ଏବଂ ପୋଟାସିୟମ ରେ ଭରପୁର ଥିବା ଆମ୍ବ ସମସ୍ତଙ୍କ ପାଇଁ ଯେ ଫାଇଦା ହେବ ତାହା ଜରୁରୀ ନୁହେଁ । ପ୍ରତ୍ୟେକ ଫଳରେ ଭଲ ଏବଂ ମନ୍ଦ ଦୁଇଟି ଜିନିଷ ରହିଥାଏ । ସେହିପରି ଆମ୍ବରେ ବି ରହିଛି । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ବିଗାଡି ପାରେ । ସେଥିପାଇଁ ସବୁଠାରୁ ଜରୁରୀ କଥା ହେଉଛି ଆମ୍ବ ଦ୍ୱାରା ହେଉଥିବା କ୍ଷତିକାରକ ବିଷୟରେ ଜାଣି ରଖିବା ଉଚିତ୍ ।
ପୋଷକ ତତ୍ୱରେ ଭରପୁର ଆମ୍ବ ଖାଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ, କିନ୍ତୁ କିଛି ଲୋକଙ୍କ ପାଇଁ ଏହି ଆମ୍ବ ଭାରି ପଡିପାରେ । ଯଦି ଆପଣଙ୍କ ପେଟ ସମ୍ବନ୍ଧୀୟ କୌଣସି ସମସ୍ୟା ଅଛି ତେବେ ଆପଣଙ୍କୁ ଆମ୍ବଠାରୁ ଦୂରେଇ ରହିବାକୁ ହେବ । ଏହାସହିତ ଲୋକଙ୍କୁ ଅଧିକମାତ୍ରାରେ ଆମ୍ବ ଠାରୁ ଦୂରେଇ ରହିବା ନିହାତି ଜରୁରୀ, କାରଣ ଅଧିକ ଆମ୍ବ ଖାଇବା ଦ୍ୱାରା ପେଟ ଆମ ହେବା, ଝାଡା ହେବା ଭଳି ରୋଗ ହୋଇପାରେ ।
ଆମ୍ବ ଅଧିକମାତ୍ରାରେ ଖାଇବା ଦ୍ୱାରା ତ୍ୱଚା ସମସ୍ୟା ଦେଖାଦେଇପାରେ । ଆମ୍ବ ଖାଇବା ପୂର୍ବରୁ ଧ୍ୟାନ ରଖିବା ଉଚିତ୍ କି ଆମ୍ବ ନସାକୁ ଭଲ ଭାବେ ଧୋଇକି ଖାଆନ୍ତୁ, ନଚେତ୍ ଏହି ନସା ମୁହଁରେ ଲାଗିବା ଦ୍ୱାରା ଦାଗ ହେବା ସହ କୁଣ୍ଡେଇ ମଧ୍ୟ ହୋଇଥାଏ । କେବଳ ଏତିକି ନୁହେଁ ଏହି ଆମ୍ବ ନସା ଗଳାକୁ ଯିବା ଦ୍ୱାରା ଗଳା ଫୁଲିବା ସହ ଦରଜ ଭଳି ସମସ୍ୟା ହୋଇପାରେ ।
ଆମ୍ବ ଏତେମାତ୍ରାରେ ସ୍ୱାଦିଷ୍ଟ ଯେ ଏହାଠୁ ଚାହିଁଲେ ବି ଦୂରେଇ ହୁଏ ନାହିଁ । କିନ୍ତୁ ସାଇନସ୍ ରୋଗୀ, ଆଣ୍ଠୁ ଗଣ୍ଠି ବାତ ରୋଗୀ, ମଧୁମେୟ ରୋଗୀ ଏବଂ ଯେଉଁ ବ୍ୟକ୍ତି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନେ ବିଲକୁଲ୍ ଆମ୍ବ ଖାଇବା କଥା ନୁହେଁ ।