ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ପବିତ୍ର ସାବିତ୍ରୀ ବ୍ରତ । ସଧବା ନାରୀମାନେ ନିଜ ସ୍ୱାମୀର ମଙ୍ଗଳ ସାଧନା ନିମନ୍ତେ ଏହି ପୂଜା କରିଥାନ୍ତି । ତ୍ରେତୟା ଯୁଗରେ ସତି ସାବିତ୍ରୀ ଆଜିର ଦିନର ନିଜ ସ୍ୱାମୀଙ୍କୁ ଜମଲୋକରୁ ଫେରାଇ ଆଣିଥିଲେ । ଚାଲି ଯାଇଛି ଦିନ । କିନ୍ତୁ ରହିଯାଇଛି ଚିହ୍ନ । ସେହିଦିନଠାରୁ ସମସ୍ତ ସଧବା ନାରୀମାନେ ନିଜ ସ୍ୱାମୀଙ୍କ ମଙ୍ଗଳ କାମନା କରି ଆଜିର ଦିନରେ ବ୍ରତ ପାଳିଥାନ୍ତି ।
ଆଜିର ଦିନରେ ମହିଳାମାନେ ଉପବାସ କରିଥାନ୍ତି । ପୂଜା ସରିବା ପରେ ସ୍ୱାମୀଙ୍କ ପାଦୁକା ପାଣି ସେବନ କରିବା ପରେ ଓଷା ଭାଙ୍ଗିଥାନ୍ତି । ଏହାପରେ ସେମାନେ ଫଳମୂଳ ଖାଇଥାନ୍ତି କିନ୍ତୁ ସେମାନେ ରନ୍ଧା ଖାଦ୍ୟ ଖାଇନଥାନ୍ତି । ତେବେ ବ୍ରତ ପାଳନ କରିବା ପାଇଁ ସକାଳୁ ସକାଳୁ ସମସ୍ତ ଦେବାଳୟରେ ଲାଗିଛି ବ୍ରତଧାରୀଙ୍କ ଭିଡ । ଶଙ୍ଖା,ଶାଢ଼ି,ଚୁଡି ଏବଂ ଭୋଗ ଧରି ମନ୍ଦିରରେ ଲଗାଇଛନ୍ତି ଲମ୍ବା ଲାଇନ । ସମସ୍ତ ସଧବା ନାରୀଙ୍କ ପାଇଁ ଆଜିର ଦିନଟି ହେଉଛି ଏକ ଅଭୁଲା ଦିନ ।
ସାବିତ୍ରୀ ବ୍ରତକୁ ଦୃଷ୍ଟିରେ ରଖି ଫଳ ବଜାରରେ ହୋଇଛି ମହଙ୍ଗା ମାଡ । କେବଳ ଫଳ କାହିଁକି ପୂଜା ସାମଗ୍ରୀର ଦର ମଧ୍ୟ ଚଢ଼ା ରହିଛି । ଗତକାଲି ବଜାରରେ ଲାଗିଥିଲା ଭିଡ । ଆଜି ସକାଳୁ ମଧ୍ୟ କେତେକ ବ୍ରତଧାରୀ ସାମଗ୍ରୀ କିଣୁଥିବା ଦେଖିବାକୁ ମିଳିଛି । ଗତକାଲି ସବୁ ଫଳ ଦର ପୂର୍ବାପେକ୍ଷା ଚଢ଼ା ଦରରେ ବିକ୍ରି ହେଉଥିଲା । ଆମ୍ୱ କେଜିର ଦାମ ୮୦ ରୁ ୧୦୦ ଟଙ୍କା, କଦଳୀ ଡର୍ଜନ ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଲିଚୁ କେଜିର ଦାମ୍ ଦେଢ ଶହ ଟଙ୍କାକୁ ଛୁଇଁଛି । ସେଓ କେଜି ଦାମ ୨୦୦ ଟପିଲାଣି । ଏପରି ସ୍ଥିତିରେ ପୂଜାରେ ବିଭିନ୍ନ ପ୍ରକାରର ଫଳ ପୂଜା କରିବାର ବିଧି ରହିଥିବାରୁ ଦର ଦେଖି ସତ୍ୟବାନମାନେ ଚିନ୍ତାରେ ପଡିଛନ୍ତି ।