ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି ଓଲିଉଡ ଦର୍ଶକଙ୍କ ପାଇଁ ଏକ ଦୁଃଖ ଖବର । ହାସ୍ୟ ଅଭିନେତା ସଲିଲ ମିତ୍ର ଆଉ ନାହାଁନ୍ତି । ଗତକାଲି ବିଳମ୍ବିତ ରାତି ୧୨.୧୫ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଦେହାନ୍ତ ପରେ ଓଲିଉଡ ଜଗତରେ ଖେଳି ଯାଇଛି ଶୋକର ଛାୟା । ଖବର ପାଇବା ପରେ ଓଡିଆ ଅନିନେତା ଏବଂ ଅଭିନେତ୍ରୀଙ୍କ ଭିଡ ଜମିଥିଲା । ଶେଷ ଦର୍ଶନ ପାଇଁ ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଘରୋଇ ହସ୍ପିଟାଲ ଲୋକାରଣ୍ୟ ହୋଇଯାଇଥିଲା ।
ଗତମାସ ୧୨ ତାରିଖରେ କେନ୍ଦୁଝର କଲେଜ ଛକ ନିକଟରେ ସଲିଲଙ୍କ ଦୁର୍ଘଟଣା ହୋଇଥିଲା । ତାଙ୍କ ପ୍ରଥମେ କଟକ ଏବଂ ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ଶେଷ ସମୟରେ ତାଙ୍କ ଦୁଇ ଝିଅ ଏବଂ ସ୍ତ୍ରୀ ପାଖରେ ରହିଥିଲେ । ଖବର ପାଇବା ପରେ କଳାକାର ଏବଂ ସଲିଲଙ୍କୁ ଭଲ ପାଉଥିବା ଦର୍ଶକଙ୍କ ସୁଅ ଛୁଟିଥିଲା ।
୧୯୯୯ ମସିହାରେ ‘ପୁଅ ଭାଙ୍ଗିଦେଲା ସୁନା ସଂସାର’ ଚଳଚ୍ଚିତ୍ରରୁ ସେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ। ଏହାପରେ ‘ଶାସ୍ତି’, ‘ଲଭ୍ ଷ୍ଟେସନ୍’, ‘ଲଭ୍ ପାଇଁ କୁଛ୍ ଭି କରେଗା’, ‘ମହାନାୟକ’, ଅର୍ଜୁନ, ଶୁଭ ବିବାହ, ହିରୋ, ତୁ ମୋ ଆରମ୍ଭ , ତୁ ମୋ ଶେଷ, ଗଞ୍ଜା ଲଢ଼େଇ,ଗପ ହେଲେ ବି ସତ ‘ସିଷ୍ଟର ଶ୍ରୀଦେବୀ’ଆଦି ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭୂମିକାରେ ଅଭିନୟ କରି ଲୋକଙ୍କୁ ହସେଇ ହସେଇ ବେଦମ କରିଛନ୍ତି।