ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କିଛି ବିଭାଗରେ ଏମିତି କିଛି ସରକାରୀ ନିୟମ ଅଛି ଯାହାକୁ ଆମେ ଜାଣି ନଥାଉ । ଯଦ୍ୱାରା ଆମେ ନିଜ ହକକୁ ମଧ୍ୟ ହାସଲ କରି ପାରି ନଥାଉ । ସେହିଭଳି ଗ୍ୟାସ ଏଜେନ୍ସି ବାବଦରେ ଏମିତି ଏକ ନିୟମ ରହିଛି ହୁଏତ ଆପଣ ନଜାଣିଥାଇ ପାରନ୍ତି । ସାଧାରଣତ ଗ୍ୟାସ ବିତରକ ଏଜେନ୍ସି ମାନେ ଆମ ସୁବିଧା ପାଇଁ ଆମ ଘରେ ଆଣି ଗ୍ୟାସ ଦେଇଥାନ୍ତି । ମାତ୍ର କେତେକ ସ୍ଥାନରେ ଗ୍ୟାସ ଆଣିବାକୁ ଗ୍ରାହକ ମାନେ ଗୋଦାମକୁ ଯାଇଥାନ୍ତି ।
ତେବେ ନିୟମ ଅନୁସାରେ ଆପଣ ଯଦି ଗ୍ୟାସ ଗୋଦାମରୁ ଗ୍ୟାସ ସିଲିଣ୍ଡର ଆଣୁଛନ୍ତି ତ ସେତେବେଳେ ଗ୍ୟାସ ଏଜେନ୍ସି ଆପଣଙ୍କୁ ଆପଣଙ୍କ ଯିବା ଆସିବା ଖର୍ଚ୍ଚ ଦେବାକୁ ବାଧ୍ୟ । ନିୟମ ଅନୁସାରେ ଆପଣ ଗୋଦାମରୁ ଗ୍ୟାସ ସିଲିଣ୍ଡର ଆଣିଲେ ଆପଣ ଏଜେନ୍ସି ଠାରୁ ୧୯ ଟଙ୍କା ୫୦ ପଇସା ପାଇପାରିବେ । ଯଦି ଏଜେନ୍ସି ଏହି ଟଙ୍କା ନଦେଉଛି ତେବେ ଏଜେନ୍ସି ନାମରେ ୧୮୦୦୨୩୩୩୫୫୫ ନଂ ରେ ଅଭିଯୋଗ କରିପାରିବେ । ଉକ୍ତ ନଂ ଟି ସମ୍ପୂର୍ଣ୍ଣ ନିଶୁଳ୍କ ଅଟେ ।
ସେହିଭଳି ଆପଣଙ୍କର ଯଦି ଗ୍ୟାସ ରେଗୁଲଟର ଚୋରି ହୋଇଯାଉଛି ଆପଣଙ୍କୁ ଏଜେନ୍ସି ଆଉ ଏକ ନୂଆ ରେଗୁଲଟର ଦେବାର ବ୍ୟବସ୍ଥା ମଧ୍ୟ ରହିଛି । ଏଥି ପାଇଁ ପ୍ରଥମେ ଆପଣଙ୍କୁ ଥାନାରେ ଏତଲା ଦେବାକୁ ପଡିବ । ପରେ ଏହି ଏତଲାର ଏକ କିତା ନକଲ ଆପଣ ଗ୍ୟାସ ଏଜେନ୍ସିରେ ଦେଲେ ସେମାନେ ଆପଣଙ୍କୁ ଆଉ ଏକ ରେଗୁଲଟର ଦେଇପାରିବେ ।