ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଇପିଏସ ସ୍ତରରେ ଅଦଳ ବଦଳକୁ ନେଇ ଯେତିକି ଚର୍ଚ୍ଚା ହୋଇ ନାହିଁ ତାଠୁ ଢ଼େର ଅଧିକ ଏବେ ଚର୍ଚ୍ଚା ହେଉଛି ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ ଷଡଙ୍ଗୀଙ୍କ ବଦଳିକୁ ନେଇ । ଚିରାଚରିତ ଢ଼ଙ୍ଗରେ ଓ ବେଶ ଲୋ’ ପ୍ରୋଫାଇଲରେ ରହୁଥିବା ଏହି ଆଇପିଏସ ଅଫିସର ବିପିଏସପିଏରୁ ହିଁ ଗୁଇନ୍ଦାକୁ ଆସିଥିଲେ ।
୨୦୧୪ ନିର୍ବାଚନର ଟିକିଏ ପୂର୍ବରୁ ସେ ଭିଜିଲାନ୍ସକୁ ଯାଇ ପୁଣି ୨୦୧୫ରେ ୨ୟ ଥର ଲାଗି ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଅରୁଣ ଷଡଙ୍ଗୀ । ଏଠି ପ୍ରଶ୍ନ ସରକାରରେ ତାଙ୍କ କାର୍ଯ୍ୟଧାରା ଓ ନିଷ୍ପତିକୁ ବେଶ ଗୁରୁତ୍ୱ ଦିଆଯାଉଥିବା ବେଳେ ଏମିତି କ’ଣ ଘଟିଲା ଯେ ତାଙ୍କୁ ଅପ୍ରତ୍ୟାଶିତ ଭାବେ ବଦଳି କରାଗଲା? ତାହା ପୁଣି ବିପିଏସପିଏ ଟ୍ରେନିଂ କେନ୍ଦ୍ରକୁ । ଏମିତି ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି ଖୋଦ ପୁଲିସ ମହଲରେ ।
ଅରୁଣ ଷଡଙ୍ଗୀ ଜଣେ ସ୍ୱାଭିମାନ ଅଫିସର ଭାବେ ବେଶ ଜଣାଶୁଣା । ତେଣୁ କୁହାଯାଉଛି ପାୱାର କରିଡରର ପାୱାରଫୁଲ ମ୍ୟାନ ଅରୁଣଙ୍କ ପତିଆରା ଓ ଦକ୍ଷତା ଆଗରେ ଫିକା ପଡିଯିବା ଭୟରେ ଏଭଳି ଷଡଯନ୍ତ୍ର ରଚାଯାଇଛି । ସେପଟେ ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି, ୩ୟ ମହଲାରେ ‘ପାୱାର କସରତ ଭିତରେ ପେସି ହୋଇଯାଇଥିଲେ ଏହି ୧୯୯୦ ବ୍ୟାଚର ଆଇପିଏସ ଅଫିସର । ତଥାପି ସେ ନିଜର ସ୍ୱାଭିମାନକୁ ଜଳାଞ୍ଜଳୀ ଦେଇ ନଥିଲେ ।
ଖାସ ଏଥିପାଇଁ କିଛିମାସ ହେବ ସେ ଅଣ ନିଶ୍ୱାସି ହୋଇପଡିଥିଲେ । ସେ ଯାହା ବି ହେଉ ଜଣେ ଦକ୍ଷ ଓ ସଚ୍ଚୋଟ ଅଫିସର ଭାବେ ଜଣାଶୁଣା ଅରୁଣ ଷଡଙ୍ଗୀଙ୍କ ଏଭଳି ବଦଳିକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପୁଲିିସ ମହଲା । ସେପଟେ ସବୁଠୁ ବଡ଼ କଥା ହେଉଛି ଏକକାଳୀନ ଗଞ୍ଜାମ, ବ୍ରହ୍ମପୁର ଏସିପି ଦାୟିତ୍ୱ ତୁଲାଇଥିବା ଆଇପିଏସ ଅଫିସର ଆଶିଷ ସିଂହଙ୍କୁ ପଦୋନ୍ନତି କରାଯାଇ ପୁଣି ସେଠାରେ ହିଁ ଡିଆଇଜି କରି ଅବସ୍ଥାପିତ କରାଯିବା ପଛରେ ଉଦ୍ଦେଶ୍ୟ କ’ଣ?
ଏହାକୁ ନେଇ ମଧ୍ୟ ଆଲୋଚନା ଜୋର ଧରିଛି । ଶୁଣିବାକୁ ମିଳୁଛି ଏହା ପଛରେ ବି ରହିଛି ତୃତୀୟ ମହଲାର କାରସାଦି । କେବଳ ଆଶିଷ ସିଂହ ନୁହନ୍ତି ବିବାଦକୁ ଆସି ବଦଳି ହୋଇଥିବା ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କ ଲେଉଟାଣୀକୁ ନେଇ ମଧ୍ୟ କିଛି କମ ଚର୍ଚ୍ଚା ହେଉନାହିଁ । ପୁନଃବାର ତାଙ୍କୁ କ୍ରାଇମବ୍ରାଞ୍ଚରେ ଅବସ୍ଥାପିତ କାହିଁକି କରାଗଲା ତାହା ସବୁଠୁ ବଡ଼ ପ୍ରଶ୍ନ?
ତେବେ ଯାହା ହେଉନା କାହିଁକି ପ୍ରକାଶିତ ଆପିଏସ ବଦଳି ତାଲିକା ଦେଖିଲେ ଏଥିରେ ତୃତୀୟ ମହଲାର ସତପ୍ରତିଶତ ଛିଟା ରହିଥିବା ସ୍ପଷ୍ଟ ବାରି ହୋଇପଡୁଛି । ପୁଲିସ ମୁଖ୍ୟାଳୟର ଭୂମୀକା ଏଠି ଗୌଣ୍ୟ ମନେ ହେଉଛି । ଯଦିଓ ଗୃହ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି କିନ୍ତୁ ବଦଳି ତାଲିକାକୁ ଦେଖିଲେ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ପାୱାରମ୍ୟାନଙ୍କ ଏକଛତ୍ରବାଦୀ ମନବୃତ୍ତିର ପରିଚୟ ଦେଇଛି ।