ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ବର୍ଷିଛନ୍ତି କଂଗ୍ରେସର ଟାଣୁଆଁ ନେତା ସୁର ରାଉତରାୟ । ସେ କହିଛନ୍ତି କି ନବୀନ ବିଜେପି ଜରିଆରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନବୀନଙ୍କ ବିଜେପି ସହ ଘନିଷ୍ଠ ସମ୍ପର୍କ ରହିଛି । ଉଭୟ ଦଳ କେବଳ ପ୍ରହସନ କରୁଛନ୍ତି । କିନ୍ତୁ ଲୋକ ଏହାକୁ ଠିକ ବୁଝି ସାରିଲେଣି । ଆସନ୍ତା ୨୦୨୪ରେ ପୁଣିଥରେ କଂଗ୍ରେସ କେନ୍ଦ୍ର ଏବଂ ରାଜ୍ୟରେ ସରକାର କରିବ ବୋଲି ଦମ୍ଭ ଦେଖାଇଛନ୍ତି ସୁର ।
ଆଜି କଂଗ୍ରେସ ପରାଜୟ ସମୀକ୍ଷା କରାଯାଇଥିଲା । ଏହି ଅବସରରେ ସୁର ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିବା ସହିତ ଦଳ ପରାଜୟର କାରଣ କହିଛନ୍ତି । ଦଳ ଚଳିତ ନିର୍ବାଚନରେ ଯୁବ ନେତାଙ୍କୁ ସୁଯୋଗ ଦେଇଥିଲା । କିନ୍ତୁ ଏଥିରେ ବିଫଳ ହୋଇଛି । କିନ୍ତୁ ଆଗାମି ଦିନରେ ମଧ୍ୟ ଯୁବ ପିଢ଼ି ନେତୃତ୍ୱ ନେବା ଆବଶ୍ୟକ ବୋଲି କହିଛନ୍ତି ସୁର । ଗାଁ ଗାଁ ବୁଲି ଲୋକଙ୍କ ସହ କଥା ହେବ କଂଗ୍ରେସ । ଲୋକଙ୍କ ସୁବିଧା ଅସୁବିଧାରେ ଠିଆ ହେବା ସହିତ ୨୦୨୪ଅଣ୍ଟା ଭିଡିବ ଦଳ ।
ଚଳିତ ବର୍ଷ ଜିତିଥିବା ୯ ବିଧାୟକଙ୍କୁ ନବଗ୍ରହ ବୋଲି କହିଛନ୍ତି ସୁର । ଏହି ନବଗ୍ରହ ବିଧାନସଭାରେ ଲୋକଙ୍କ ଅସୁବିଧାକୁ ସ୍ଥାପନ କରିବ । ବିରୋଧୀଙ୍କୁ କଡା ଟକ୍କର ଦେବା ପାଇଁ ଆମେ ପ୍ରସ୍ତୁତ ବୋଲି ମଧ୍ୟ କହିଛନ୍ତି ଏହି ବରିଷ୍ଠ ନେତା । ଦଳରେ କାହ୍ନୁ ଏବଂ ହେମାନନ୍ଦଙ୍କ କଳିକୁ ନେଇ ମଧ୍ୟ ମୁହଁ ଖୋଲିଛନ୍ତି ସୁର । ସେ କହିଛନ୍ତି ଘର କଥା ଘରେ ସମାଧାନ କରିବା ଭଲ ।