ଭୁବନେଶ୍ୱର ( ଏଟିଆରୁ ବ୍ୟୁରୋ): ଆଜିଠାରୁ ୭ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ପଞ୍ଚମ ପାଳି ମୁଖ୍ୟମନ୍ତ୍ରୀ ହେବା ପରେ ଏହା ନବୀନଙ୍କ ପ୍ରଥମ ଦିଲ୍ଲୀ ଗସ୍ତ । ଏହି ଅବସରରେ ନବୀନ ରାଷ୍ଟ୍ରପିତଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦ୍ୱିତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇ ଥିବାରୁ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବହୁ ଗୁରୂତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି ଜଣାପଡିଛି । ଫୋନି ସହାୟତା, ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା , କେନ୍ଦ୍ରୀୟ ବଜେଟରେ ରାଜ୍ୟକୁ ଅଧିକ ଅନୁଦାନ ପାଇଁ ମୋଦିଙ୍କ ସହ ଆଲେଚନା କରିବେ ନବୀନ ।
ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସମେତ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କୁ ୧୧ ତାରିଖରେ ନବୀନ ଭେଟିବେ ବୋଲି ଜଣା ପଡିଛି । ଏଥର ନବୀନ ଆୟୁଷ୍ମାନ ଯୋଜନାରେ ଓଡିଶା ଯୋଡିହେବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିପାରନ୍ତି ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ପ୍ରତିକାର ପାଇଁ ନବୀନ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି କରି ପାରନ୍ତି ।
୧୫ ତାରିଖରେ ନୀତି ଆୟୋଗ ବୈଠକରେ ଯୋଗଦେବା ପରେ ନବୀନ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ନବୀନ ପଞ୍ଚମ ପାଳି ଶପଥ ଗ୍ରହଣ ଅବରରେ ଖୋଦ ପ୍ରଧାନମନ୍ତ୍ରୀ ନବୀନଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଥିଲେ । ନବୀନ ମଧ୍ୟ ପୂର୍ବରୁ ମୋଦିଙ୍କୁ ନିର୍ବାଚନରେ ସଫଳତା ନେଇ ଶୁଭେଚ୍ଛା ଜଣାଇଥିଲେ ।